ମାଟ୍ରିକ୍ ଟପର ହେଲେ ଏସିଡ୍ ପୀଡିତା

1 min read

ଚଣ୍ଡିଗଡ଼: କୁନି ଝିଅଟି ହୋଇଥିଲେ । ବୟସ ଥିଲା ମାତ୍ର ୩ ବର୍ଷ । ଦୁନିଆ ଜାଣିନଥିବା ଏହି ବୟସରେ ତାଙ୍କ ଉପରେ ହୋଇଥିଲା ଏସିଡ୍ ମାଡ଼ । କୁନି ଝିଅକୁ ଦେଖି ସହି ପାରୁନଥିଲେ ପଡ଼ିଶା ଘରର ଲୋକେ । ଆଉ ଦିନେ ଅଚାନକ ଏହି ଝିଅ ଉପରେ ଏସିଡ୍ ମାଡ଼ କରିଥିଲେ । ଏସିଡ୍ ଆକ୍ରମଣ ଯୋଗୁଁ ଝିଅଟିର ଦୁଇ ଆଖି ଚାଲିଯାଇଥିଲା । ମୁହଁ ନଷ୍ଟ ହୋଇଯାଇଥିଲା । ହେଲେ ପରିବାର ଲୋକେ ହାରିନଥିଲେ ।

ଏହି କୁନି ଝିଅକୁ ଏବେ ୧୫ ବର୍ଷ । ନିକଟରେ ପ୍ରକାଶ ପାଇଥିବା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଏହି ଝିଅ ୯୫.୨୦ ପ୍ରତିଶତ ନମ୍ବର ରଖିଛନ୍ତି । ଏବଂ ନିଜ ସ୍କୁଲରେ ଟପ୍ପର ହୋଇଛନ୍ତି । ୨୦୧୧ ମସିହାରେ ହରିଆଣାର ହିସାରରେ ରହୁଥିବା ୩ ବର୍ଷୀୟ କାଫି ହୋଲି ଖେଳିବାକୁ ଘର ବାହାରକୁ ଯାଇଥିଲେ । କିନ୍ତୁ ରଙ୍ଗ ବଦଳରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ । ଆଉ ତାଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଆଖିର ଆଲୋକ ମଧ୍ୟ ଚାଲିଯାଇଥିଲା । ପରେ କାଫିଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ସପ୍ତାହେ ଧରି ଚିକିତ୍ସା ଚାଲିବା ପରେ ଡାକ୍ତର କହିଥିଲେ ଯେ କାଫି ସାରା ଜୀବନ ଅନ୍ଧକାରରେ ବିତାଇବେ । ଝିଅକୁ ନ୍ୟାୟ ଦେବା ପାଇଁ ବାପା ହିସାର ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କୋର୍ଟ ଆକ୍ରମଣକାରୀଙ୍କୁ ଦୁଇବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଥିଲେ । ଆଖି ହରାଇବା ପରେ କାଫିଙ୍କୁ ଚଣ୍ଡିଗଡ଼ର ଦୃଷ୍ଟିବାଧିତ ଶିକ୍ଷାନୁଷ୍ଠାନର ପାଠ ପଢ଼ାଇଥିଲେ ବାପା-ମାଆ । ଆଉ ଏବେ ସିବିଏସଇ ଦଶମ ଶ୍ରେଣୀରେ ସେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ନିଜ ସ୍କୁଲରେ ଟପ୍ପର ହୋଇଛନ୍ତି । ଆଗକୁ ଆଇଏଏସ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି କାଫି ।