spot_img

Latest Posts

ପିପିଲି ବଳଙ୍ଗା ଥାନାରେ ଭୟଙ୍କର ବିସ୍ଫୋରଣ, ଭୟରେ ସ୍ଥାନୀୟ ଲୋକେ

ପିପିଲି: ପିପିଲି ବଳଙ୍ଗା ଥାନାରେ ବିସ୍ଫୋରଣ। ଭୁଶୁଡ଼ିଲା ଥାନାର ଛାତ, ଫାଟିଗଲା କାନ୍ଥ। ବିଳମ୍ବିତ ରାତିରେ ଅଚାନକ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। କୌଣସି ଜବତ ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ବିସ୍ଫୋରଣରେ ଥାନା ଭିତରର ନକ୍ସା ବଦଳି ଯାଇଛି।

ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି। ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ବିସ୍ଫୋରଣରେ କାହାରି ଜୀବନ ପ୍ରତି ଆଞ୍ଚ ଆସିନାହିଁ। ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଛନ୍ତି। ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଅଚାନକ ଏଭଳି ବିସ୍ଫୋରଣକୁ ନେଇ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ସ୍ଥାନୀୟ ଲୋକେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତି ଅଧରେ ଅଚାନକ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ। ଭୟରେ ଘର ଛାଡ଼ି ବାହାରକୁ ଚାଲି ଆସିଲେ ସ୍ଥାନୀୟ ଲୋକେ। ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। କେବଳ ଜଣେ କନଷ୍ଟେବଳ ହିଁ ବାହାରେ ଛିଡ଼ା ହୋଇଥିଲେ। ଏଭଳି ବିସ୍ଫୋରଣକୁ ନେଇ ଦୃଢ଼ ତଦନ୍ତର ଆବସ୍ୟକତା ରହିଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଏହି ବଳଙ୍ଗା ଥାନା ୩ଟି ନିର୍ବାଚନ ମଣ୍ଡଳିକୁ ନେଇ ହୋଇଛି। ସେଥିପାଇଁ ଥାନାର ସୁରକ୍ଷା ଏବଂ ଯଥାଶୀଘ୍ର ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Latest Posts

Don't Miss