କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ବାହାଦୂରୀ ସତ୍ତ୍ୱେ କୋଇଲା ସଂକଟ: ୧୭ ପାଓ୍ୱାର ପ୍ଳାଣ୍ଟରେ ଗୋଟିଏ ଦିନ ପାଇଁ ବି କୋଇଲ ଗଚ୍ଛିତ ନାହିଁ

ନୂଆଦିଲ୍ଲୀ: କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ବାହାଦୂରୀ ସତ୍ତ୍ୱେ ଘନୀଭୂତ କୋଇଲା ସଂକଟ । ଦେଶର ୧୭ଟି ପାଓ୍ୱାର ପ୍ଲାଣ୍ଟରେ ଗୋଟିଏ ଦିନ ଲାଗି କୋଇଲା ଗଚ୍ଛିତ ନଥିବା ବେଳେ ୬୨ଟି ପ୍ଲାଣ୍ଟ ପାଇଁ ଦିନେ ବା ଦୁଇ ଦିନ ଲାଗି କୋଇଲା ରହିଛି । ୧୧୫ଟି ପ୍ଲାଣ୍ଟରେ ମାତ୍ର ୭ ଦିନର କୋଇଲା ଗଚ୍ଛିତ ରହିଛି । ସେପଟେ ତୁରନ୍ତ ବକେୟା ପ୍ରାପ୍ୟ ଦାଖଲ କରିବା ଲାଗି ୪ଟି ରାଜ୍ୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । କୋଟି କୋଟି ଟଙ୍କା ବକେୟା ରଖିଥିବା ଉତ୍ତରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଓ ରାଜସ୍ଥାନ ସରକାରଙ୍କ ନିକଟକୁ ବକେୟା ଅର୍ଥ ଜମା ନେଇ ପତ୍ର ଲେଖାଯାଇଛି ।

ମହାରାଷ୍ଟ୍ର ଉପରେ ୩ ହଜାର ୧୭୬ କୋଟି ଟଙ୍କା ବକେୟା ଥିବା ବେଳେ, ଉତ୍ତରପ୍ରଦେଶ ଉପରେ ୨ ହଜାର ୭୪୩ କୋଟି, ତାମିଲନାଡୁ ଉପରେ ୧ ହଜାର ୨୮୧ କୋଟି ଓ ରାଜସ୍ଥାନ ଉପରେ ୭୭୪ କୋଟି ଟଙ୍କା ଅନାଦେୟ ରହିଛି । କୋଲ ଇଣ୍ଡିଆ ନିକଟରେ ବିଭିନ୍ନ ରାଜ୍ୟର ବିଦ୍ୟୁତ ବୋର୍ଡ ଓ ଶକ୍ତି ଉତ୍ପାଦକ କମ୍ପାନିଙ୍କର ୨୧ ହଜାର ୬୧୯ କୋଟି ଟଙ୍କା ବକେୟା ପଡ଼ରହିଛି । ଏହି ୪ଟି ରାଜ୍ୟରେ ଗୋଟିଏ ଦିନ ଲାଗି ବି କୋଇଲା ଗଚ୍ଛିତ ନାହିଁ । ବ୍ୟାପକ କୋଇଲା ଅଭାବ କାରଣରୁ ଦେଶର ପ୍ରାୟ ସମସ୍ତ ତାପଜ ବିଦ୍ୟୁତ କେନ୍ଦ୍ରରେ ସଂକଟ ତୀବ୍ର ରୂପ ନେଲାଣି । ତେଣେ ସ୍ଥିତିର ମୁକାବିଲା ଲାଗି ଦେଶର ବିଭିନ୍ନ ତାପଜ କେନ୍ଦ୍ରକୁ ୨୪ଘଣ୍ଟିଆ କୋଇଲା ଯୋଗାଣ ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ଜରୁରୀକାଳୀନ ଭିତ୍ତିରେ କୋଇଲା ଯୋଗାଣ ନେଇ ସମସ୍ତ ଜୋନାଲ ରେଳବାଇକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ସହ ଘଣ୍ଟିକିଆ ବୁଲେଟିନ ବ୍ୟବସ୍ଥା କରାଯାଇଛି ।

Leave a Reply