ଦୁଷ୍କର୍ମର ଦିନ ମଙ୍ଗଳବାର: ଗୋଟିଏ ଦୁଇଟି ନୁହେଁ, ତିନିଟି ସ୍ଥାନରୁ ଆସିଛି ସମାନ ଅଭିଯୋଗ

ଦୁଷ୍କର୍ମର ଦିନ ମଙ୍ଗଳବାର । ଗୋଟିଏ ଦୁଇଟି ନୁହେଁ, ତିନିଟି ସ୍ଥାନରୁ ଆସିଛି ସମାନ ଅଭିଯୋଗ । ତା’ ସହ ଗୋଟିଏ ସ୍ଥାନରେ ହୋଇଛି ଅସଦାଚରଣ। ରାଜ୍ୟରେ ମହିଳାଙ୍କ ପାଇଁ ପାଦେ ପାଦେ ବିପଦ । ନାରୀ ସୁରକ୍ଷାରେ ଫେଲ ପୋଲିସ ପ୍ରଶାସନ। ଅପାରଗ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ। ମାଲକାନଗିରି ଅଞ୍ଚଳରୁ ଆସିଛି ସଂଘାତିକ ଅଭିଯୋଗ । ସଦର ଥାନା ଅଞ୍ଚଳର ନାବାଳିକା ଜଣକ ରବିବାର ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ବିଳମ୍ଵିତ ରାତି ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଆଉ ବିଳମ୍ଵିତ ରାତିରେ ମାଲକାନଗିରି ଜୟପୁର ରାସ୍ତାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜାଘାଟିରେ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହଜନକ ସ୍ଥିତିରେ ଦେଖିଥିଲେ ଲୋକେ। ଖବର ପାଇବା ପରେ ପୋଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଘଟଣାରେ ଟ୍ରକ ଡ୍ରାଇଭର ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ଜଗତସିଂହପୁରରେ ବି ସମାନ ଘଟଣା ସାମ୍ନାକୁ ଆସିଛି । ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ନିଜ ଦାଦାଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ହୋଇଛନ୍ତି ଶିକାର। ବହୁ ଖୋଜାଖୋଜି ପରେ ଗାଁ ପାଖରୁ ରକ୍ତଜୁଡୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକ। ଥାନାରେ ଅଭିଯୋଗ ପରେ ଜଣକୁ ଗିରଫ କରାଯାଇଥିବା ବେଳେ, ଦ୍ବିତୀୟ ଅଭିଯୁକ୍ତକୁ ଧରିବାକୁ ଚାଲିଛି ଧରପଗଡ଼। ପୋଲିସ ୩ଟି ଟିମ୍ ଗଠନ କରି ଚଢ଼ାଉ ଜାରି ରଖିଛି। ମାଲକାନଗିରି ଓ ଜଗତସିଂହପୁରକୁ ବାଦଦେଲେ, ଯାଜପୁରରେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ ସମସ୍ତଙ୍କୁ ଲଜ୍ଜିତ କରିଛି। ଗଣଦୁଷ୍କର୍ମ ଘଟଣାରେ କ୍ରୀଡ଼ା କୋଚ ଓ ୨ ସହଯୋଗୀଙ୍କୁ ବାନ୍ଧିଛି ପୋଲିସ। ହକି ଷ୍ଟାଡିୟମର କ୍ରୀଡା କୋଚ ଓ ଦୁଇ ସହଯୋଗୀ ଦୁଷ୍କର୍ମ କରିଥିବା ନେଇ ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା। ଘଟଣାରେ ପାଲିସ ୩ ଜଣଙ୍କୁ ଗିରଫ କରିଛି। ସେହିପରି ପର୍ଯ୍ୟଟନର ସହର ପୁରୀରେ ଘଟିଛି ଘଟିଛି ଲଜ୍ଜା। ୩ ଭଉଣୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଜଣକୁ ଗିରଫ କରିଛି ପୋଲିସ। ୩ ଭଉଣୀ ମନ୍ଦିରରୁ ଫେରୁଥିବା ବେଳେ ଅସଦାଚରଣ କରିଥିଲେ ଦୁର୍ବୃତ୍ତ। ଏନେଇ ପୀଡ଼ିତାଙ୍କ ଭାଇ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ଛାତ୍ରୀ ପୋଡି ଘଟଣାର ତଦନ୍ତ ଶେଷ ନହେଉଣୁ ପୁଣି ରାଜ୍ୟର ଖବରକୁ ସରଗରମ କରିଛି ଏହି ଚାରିଟି ଦୁଷ୍କର୍ମ ଓ ଅସଦାଚରଣ ଘଟଣା । ଯାହାକୁ ନେଇ ରାଜ୍ୟରେ ନାରୀ ସୁରକ୍ଷା ପ୍ରତି ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ।