ତନ୍ତ୍ରମନ୍ତ୍ରରେ ରାତିରେ ଚାଲିଥିଲା ଗୁପ୍ତଧନ ଖୋଜା, ଧରାପଡ଼ିଲେ ବହେ ଛେଚା ଖାଇଲେ

ଗୁଣୁପୁର: ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମାଟି ଖୋଳି ଖୋଜିଲେ ଗୁପ୍ତଧନ। ଗତ ରାତିରେ ଚାଲିଥିଲା ଗୁଣିଆଙ୍କ ସହ ପୂଜାର୍ଚ୍ଚନା। ଅମାବାସ୍ୟା ରାତିରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଲେ ୧୧ଜଣ ବ୍ୟକ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକମ ପଞ୍ଚାୟତ ଡେଡ଼ିପଡ଼ା ଗାଁରେ।

ଉକ୍ତ ଗାଁର କାଣିମାଣି ଠାକୁରାଣୀ ଝାଙ୍କିରି ମାଁ ପୀଠରେ ଗତକାଲି ଚାଲିଥିଲା ଏଭଳି କାର୍ଯ୍ୟ। ୧୧ଜଣ ଲୋକ ମିଳିମିଶି ପୂଜା ପାଠ କରିବା ସମୟରେ ଗ୍ରାମବାସୀ ଏମାନଙ୍କୁ କାବୁକରି ଏକ କୋଠରୀରେ  ଅଟକ ରଖିଛିଥିଲେ। ଗୁପ୍ତଧନ ବାହାର କରିବା ପାଇଁ ପୂଜାପାଠ ଚାଲିଥିବା ବେଳେ ଗାଁ ଲୋକ ସମସ୍ତ ୧୧ ଜଣଙ୍କୁ ଧରିଥିଲେ। ଗୁଣିଆ ମନ୍ତ୍ର ବୋଲୁଥିବା ବେଳେ ବାକି ୧୧ ଜଣ ମାଟି ଖୋଳିବାରେ ଲାଗିଥିଲେ।

ଏବେ ସମସ୍ତଙ୍କୁ ଏକ ଘରେ ବନ୍ଦୀ କରି ରଖାଯାଇଛି। ତେବେ ଗାଁରେ ଏକ ବୈଠକରେ ନିଷ୍ପତି ହେବା ପରେ ଏମାନଙ୍କୁ ଛଡ଼ାଯିବା ବୋଲି ଗ୍ରାମବାସୀ କହିଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଭବାନୀ ପାଟଣାର ୩ ଜଣ, ବିଶ୍ୱନାଥଥପୁରର ୩ଜଣ ଓ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଜଣେ ଥିବା ବେଳେ ବିଷମ କଟକ ଥାନା ଅଞ୍ଚଳର ୪ ଜଣ ରହିଛନ୍ତି। ଏମାନଙ୍କୁ ଗତକାଲି ରାତି ୮ ଟାରୁ ଗାଁ ଲୋକ ଗୋଟିଏ ଘରେ ରଖି ନିର୍ଧୁମ ମାଡ଼ ମାରିବା ସହ ୨ ଲକ୍ଷ ଟଙ୍କା ଦାବୀ କରୁଥିବା କହିଛନ୍ତି ଅଟକ ଥିବା ବ୍ୟକ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପଚରାଉଚୁରା କରିଥିଲା। ଏନେଈ ବିଷମକଟକ ଥାନାରେ କିଛି ଅଭିଯୋଗ ହୋଇନାହିଁ।

Leave a Reply