ବିଜେପିର ଶୋଷଣ ନୀତି: ଦୁଇ ବର୍ଷ ଧରି ଅଶୋଧିତ ତୈଳ ଶସ୍ତା ପରେ ବି ଖସୁନି ପେଟ୍ରୋଲ ଓ ଡିଜେଲ ଦର

1 min read

ଭୁବନେଶ୍ବର: କୁଆଡ଼େ ଗଲା ଡାଇନାମିକ ଫୁଏଲ ପ୍ରାଇସ ମେଥଡ ? ଦୁଇବର୍ଷ ହେଲାଣି ଅଶୋଧିତ ତୈଳ ଶସ୍ତା । ହେଲେ କାହିଁକି ରାଷ୍ଟ୍ରାୟତ୍ତ କମ୍ପାନୀ ଲାଗୁ କରୁନାହାନ୍ତି ସ୍ବୟଂକ୍ରିୟ ଦର ବ୍ୟବସ୍ଥା ? ଆଉ କେତେ ବମ୍ପର ଲାଭ ଦରକାର ? ପେଟ୍ରୋଲ-ଡିଜେଲର ଚଢା ଦରକୁ ନେଇ ଏପରି ମାଳ ମାଳ ପ୍ରଶ୍ନ ଏବେ ଉଠାଇଲେଣି ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ଓ ସିଭିଲ ସୋସାଇଟି । ଯଦି କ୍ଷତିଭରଣା ହୋଇ ଲାଭ ଉପରେ ଡବଲ ଲାଭ କରୁଛନ୍ତି କମ୍ପାନୀ, ତା’ହେଲେ, କାହିଁକି ଲୋକଙ୍କ ମଙ୍ଗଳ ପାଇଁ କମିବନି ପେଟ୍ରୋଲ ଓ ଡିଜେଲ ଖୁଚୁରା ଦର । ଅଭିଯୋଗ ହୋଇଛି ରାଜନୈତିକ ଦଳ ପରି ଲୋକଙ୍କ ସହ ବ୍ୟବହାର କରୁଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।

ରାଷ୍ଟ୍ରାୟତ୍ତ କମ୍ପାନୀ ନା ରାଜନୈତିକ ଦଳ !

କେବେ କମିବ ପେଟ୍ରୋଲ ଓ ଡିଜେଲ ଖୁଚୁରା ଦର ?

କାହିଁକି ପୁନଃପ୍ରଚଳନ ହେଉନି ଡାଇନାମିକ ଫୁଏଲ ପ୍ରାଇସ ମେଥଡ ?

କାହିଁକି ଚୁପ୍ କେନ୍ଦ୍ର ସରକାର ?

ଆଉ କେତେଦିନ ଶୋଷିବେ ଲୋକଙ୍କୁ ?

ଏପରି ମାଳ ମାଳ ପ୍ରଶ୍ନ ଏବେ ସାଧାରଣ ଖାଉଟିଙ୍କ ମନରେ । ଅଶୋଧିତ ତୈଳ ଦର ବଢିବା କମିବା ସହିତ ପରିବର୍ତ୍ତନ ହେବ ପେଟ୍ରୋଲ-ଡିଜେଲ ଖୁଚୁରା ଦର । ଦୁଇବର୍ଷ ହେଲାଣି ବନ୍ଦ ରହିଛି ଏହି ବ୍ୟବସ୍ଥା । ୨୦୨୨ରେ କିଛି ଦିନ ପାଇଁ ଅଶୋଧିତ ତୈଳ ଦର ୧୦୦ ଡଲାର ପାର୍ କରିଥିଲା । ହେଲେ ଖୁଚୁରା ଦର ବଢିଲାନି । ଲୋକଙ୍କ ମଙ୍ଗଳ ପାଇଁ କେନ୍ଦ୍ର ତୈଳ କମ୍ପାନୀଙ୍କ ଦରଦ ବୁଝି ହେଲା । ଏବେ ଯେତେବେଳେ ଦୁଇବର୍ଷ ହେଲାଣି ପ୍ରାୟ ୭୦ ଡଲାରରେ ଅଶୋଧିତ ତୈଳ ଦର ସ୍ଥିର ରହୁଛି । କାହିଁକି ଖୁଚୁରା ଦର କମାଉନାହାନ୍ତି ରାଷ୍ଟ୍ରାୟତ୍ତ କମ୍ପାନୀ । ଏହାକୁ ନେଇ ପ୍ରଶ୍ନ ଉଠାଇଛି ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ।

କୌଣସି କମ୍ପାନୀ କ୍ଷତି ସହିବା ପାଇଁ ଗଠନ ହୋଇ ନଥାଏ । ରାଷ୍ଟ୍ରାୟତ ତୈଳ କମ୍ପାନୀରେ ୫୧ ପ୍ରତିଶତ ଅଂଶ କେନ୍ଦ୍ର ସରକାରଙ୍କର । ବାକି ଅଂଶଧନ ସାଧାରଣ ଜନତାଙ୍କର । ଅଶୋଧିତ ତୈଳ ଦର ବଢିଲେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ କ୍ଷତି ସହିଛନ୍ତି ବୋଲି କ’ଣ କେବେ ଅଂଶୀଦାରଙ୍କ ସହ କମ୍ପାନୀ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ କି ? ଅଶୋଧିତ ତୈଳ ଯେତେବେଳେ ୨୦୨୨ରେ ୧୦୦ ଡଲାର ପାର୍ କଲା । ସେତେବେଳେ ତୈଳ କମ୍ପାନୀ ଯଦି ଲୋକଙ୍କ ହିତ ପାଇଁ ରାଜନୈତିକ ଦଳ ପରି ଖୁଚୁରା ଦର ବଢାଇ ନଥିଲେ, ତା’ହେଲେ ଏବେ ଦୀର୍ଘ ଦୁଇ ବର୍ଷ କାଳ ଶସ୍ତା ଥିଲାବେଳେ ଲୋକଙ୍କ ହିତ ପାଇଁ କାହିଁକି ଖୁଚୁରା ଦର କମାଉନାହାନ୍ତି । କ’ଣ ଦୁଇମାସର କ୍ଷତି ଦୁଇବର୍ଷରେ ଭରଣା ହୋଇନି ? ନା କେନ୍ଦ୍ର ସରକାର ତୈଳ କମ୍ପାନୀଙ୍କଠୁ ଲକ୍ଷାଧିକ କୋଟିର ଡିଭିଡେଣ୍ଡ୍ ଓ ଓ୍ବିଣ୍ଡଫଲ୍ ଟିକସ ଟାଣିବା ମୋହ ଛାଡ଼ିପାରୁନାହାନ୍ତି ?

ତୈଳ ଗୋଲକଧନ୍ଦାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଅଭିଯୋଗ ହୋଇଛି, ୟୁପିଏ ସରକାର ସମୟରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କୁ କେନ୍ଦ୍ର ସରକାର ସବସିଡି ଦେଉଥିଲେ । ଏହି ବୋଝ ଯେପରି ଲୋକଙ୍କ ଉପରେ ନପଡ଼ିବ, ସେ ନେଇ ତୈଳ କମ୍ପାନୀଙ୍କୁ ତୈଳ ବଣ୍ଡ ଜାରି କରିବାକୁ ଅନୁମତି ଦିଆଯାଇଥିଲା । ସେତେବେଳେ ବିଜେପି ଏହାକୁ କଟୁ ସମାଲୋଚନା କରିଥିଲା । କ୍ଷମତାକୁ ଆସିବା ପରେ ତୈଳ ବଣ୍ଡ ବ୍ୟବସ୍ଥାଟି ଉଠାଇ ଦେଲେ । କିନ୍ତୁ ଏବେ ଲୋକଙ୍କୁ ଶୋଷିବାର ବାଟ କରିଛନ୍ତି । ସମାନ ଦରରେ ଅଶୋଧିତ ତୈଳ ଦର ଘରୋଇ ଓ ରାଷ୍ଟ୍ରାୟତ୍ତ କମ୍ପାନୀ କିଣୁଛନ୍ତି । ଘରୋଇ କମ୍ପାନୀ ଗ୍ରାହକଙ୍କୁ ରିହାତି ଦେଉଥିବା ବେଳେ ରାଷ୍ଟ୍ରାୟତ୍ତ କମ୍ପାନୀ ଚଢ଼ା ଦରରେ କିପରି ବିକୁଛନ୍ତି । ଏହା କେନ୍ଦ୍ର ସରକାର କ’ଣ ଜାଣନ୍ତି ନାହିଁ ? ଏକଥା ପଚାରିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଋଷ-ୟୁକ୍ରେନ୍ ଯୁଦ୍ଧ, ହମାସ-ଇରାନ-ଇସ୍ରାଏଲ ଯୁଦ୍ଧ କଥା କହି ପ୍ରସଙ୍ଗକୁ ହାଲୁକା କରିଦେଉଛନ୍ତି । କେନ୍ଦ୍ର ଗୋଟିଏ ପଟେ ପେଟ୍ରୋଲ-ଡିଜେଲ ଦର ନ କମାଇ ଲୋକଙ୍କ ପକେଟ୍ କାଟୁଛି । ସେପଟେ ଲୋକଙ୍କୁ ବିଭିନ୍ନ ଯୋଜନା ଦେଉଛି ବୋଲି ପ୍ରଚାର କରି ବାହାବା ନେଉଛି । କେନ୍ଦ୍ରର ଏହି ଚାଲକୁ ଲୋକେ ବୁଝିଲେଣି । ସମୟ ଆସୁଛି ଲୋକେ ଏହାର ଜବାବ ଦେବେ ।

ତୈଳ ଦର କମିଲେ ପରିବହନ ଖର୍ଚ୍ଚ କମ ହେବ । ଏକଥା ଭଲ ଭାବେ ଜାଣିଛନ୍ତି ଡବଲ ଇଞ୍ଜିନ ସରକାର । ବିଜେପି ବିରୋଧୀରେ ଥିଲା ବେଳେ ତତ୍କାଳୀନ ସରକାରକୁ ପେଟ୍ରୋଲ-ଡିଜେଲ ଭାଟ୍ ହ୍ରାସ ନେଇ ଚାପ ପକାଉଥିଲେ । ଏବେ ସେହି ନ୍ୟାୟଟି ନିଜେ କାହିଁକି କରୁନି ? ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଦୁଇଟି ଯାକ ଇଞ୍ଜିନ ମୁହଁ ଗୋଟିଏ ଦିଗରେ ନ ହୋଇ ଯଦି ବିପରୀତ ମୁଖୀ ହେବ ତା’ହେଲେ ବିକାଶ ବଦଳରେ ଆଉ କ’ଣ ହେବ ତାକୁ ଲୋକେ ବିଚାର କରନ୍ତୁ ।