ବିହାର ପଲିଟିକ୍ସ: ନୀତୀଶଙ୍କ ଆଗରେ ବିଜେପିର ସର୍ତ୍ତ, ଆଗ ମୁଖ୍ୟମନ୍ତ୍ରୀ ପଦରୁ ଦିଅ ଇସ୍ତଫା

ପାଟନା: ବିହାର ରାଜନୀତିରେ ଘଟିକେ ଘୋଡ଼ା ଛୁଟୁଛି । ନୀତୀଶ ରାଜନୀତିକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା । ଆରଜେଡି ସହ ସମ୍ପର୍କ ତୁଟାଇ ପୁଣି ଥରେ ପଦ୍ମତୋଳା ଗାଇବାକୁ ଜେଡିୟୁ ସୁପ୍ରିମୋ ତାଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରସ୍ତୁତ । ହେଲେ ବିଜେପିକୁ ସାଙ୍ଗରେ ନେଇ ସରକାର ଗଢ଼ିବାକୁ ଉଦ୍ୟମ ଚଲାଇଥିବା ନୀତୀଶଙ୍କ ଆଗରେ ବିଜେପି ରଖିଛି ସର୍ତ୍ତ । ବିଜେପି ପକ୍ଷରୁ କୁହାଯାଇଛି ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କୁ ଇସ୍ତଫା ଦେବାକୁ ପଡିବ । ନୀତୀଶଙ୍କ ଇସ୍ତଫା ପରେ ହିଁ ବିଜେପି ଓ ଏନଡିଏର ଅନ୍ୟ ଦଳ ସମର୍ଥନ ପତ୍ର ଦେବେ । ଏପରିକି ଇସ୍ତଫା ପରେ ଏନଡିଏର ବିଧାୟକ ଦଳ ବୈଠକ ବସି ନୀତୀଶଙ୍କୁ ବିଧାୟକ ଦଳ ନେତା ବଛାଯିବ ।

ମିଳିଥିବା ସୂଚନା ଅନୁସାରେ ଆଜି ନୀତୀଶ କୁମାର ଇସ୍ତଫା ଦେଇପାରନ୍ତି । ଏହାପରେ ଏନଡିଏ ସମର୍ଥନରେ ପୁଣି ଥରେମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କ ସହ ବିଜେପିର ବରି୍ଠ ନେତା ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି ।

ତେବେ ସୁବିଦାବାଦୀ ନେତା ନେତା ଭାବେ ପରିଚିତ ନୀତୀଶ କୁମାର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଦଳଙ୍କ ସହ ମେଣ୍ଟ କରି ଶାସନ ଗାଦି ଅକ୍ତିଆର କରିଛନ୍ତି । ୨୦୧୩ରୁ ବିଜେପି, କଂଗ୍ରେସ, ଆରଜେଡି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ପଦର ସ୍ବାଦ ଚାଖିଥିବା ନୀତୀଶ ପୁଣି ବିଜେପିକୁ କୋଳେଇ ପାରନ୍ତି ।

ବିଶେଷ କରି ବିହାରର ଦୁଇଥରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯିବା ପରଠାରୁ ବଢିଥିଲା ସସପେନ୍ସ । ରାଜନୀତିରେ କାହା ଲାଗି ଦ୍ବାର ବନ୍ଦ ନୁହେଁ ବୋଲ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କ ବିବୃତି ପରଠାର ବଢିଥିଲା ରାଜନୀତି । ସେପଟେ ୭୯ ଜଣ ଆଇପିଏସ ଓ ୪୫ ଜଣ ବିଏଏସ ଅଫିସରଙ୍କୁ ରାତାରାତି ବଦଳିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସ୍ଥିତିର ସମୀକ୍ଷା ଲାଗି କଂଗ୍ରେସ ଓ ଆରଜେଡି ନେତାମାନେ ବୈଠକ କରିଛନ୍ତି । ସେପଟେ ନୀତୀଶ କୁମାରଙ୍କ ସମର୍ଥନରେ ବିଜେପି ପକ୍ଷରୁ ସମର୍ଥନ ପତ୍ର ସଂଗ୍ରହ ଜାରିରହିଛି । ତେଣେ ନୀତୀଶଙ୍କ ସହ କଂଗ୍ରେସର କେତେକ ବିଧାୟକଙ୍କ ଭିତିରି ସମ୍ପର୍କ ଥିବା ସୂଚନା ମିଳିଛି । ତେଣେ ଏହି ରାଜନୈତିକ ସଂକଟ ଲାଗି କଂଗ୍ରେସ ଉପରେ ଦୋଷ ଲଦିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ।

ଥରେ ନଜର ପକାନ୍ତୁ ନୀତୀଶଙ୍କ ମୁଖ୍ୟମନ୍ତ୍ରିତ୍ବର ଘଟଣାକ୍ରମ ଉପରେ

  • ୩ ମାର୍ଚ୍ଚ ୨୦୦୦ରୁ ୧0 ମାର୍ଚ୍ଚ ୨୦୦୦ ଯାଏଁ ପ୍ରଥମ ଥର ଲାଗି ସିଏମ ହୋଇଥିଲେ ନୀତୀଶ
  • ୨୪ ନଭେମ୍ବର ୨୦୦୫ରୁ ୨୬ ନଭେମ୍ବର ୨୦୧୦ ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ
  • ୨୬ ନଭେମ୍ବର ୨୦୧୦ରୁ ୨୦ ମେ ୨୦୧୪ ତୃତୀୟ ଥର ମୁଖ୍ୟମନ୍ତ୍ରୀ
  • ୨୨ ଫେବ୍ରୁଆରୀ ୨୦୧୫ରୁ ୨୦ ନଭେମ୍ବର ୨୦୧୫ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ
  • ୨୦ ନଭେମ୍ବର ୨୦୧୫ରୁ ୧୬ ନଭେମ୍ବର ୨୦୨୦ ପଞ୍ଚମ ଥରମୁଖ୍ୟମନ୍ତ୍ରୀ
  • ୧୬ ନଭେମ୍ବର ୨୦୨୦ରୁ ଅଗଷ୍ଟ ୨୦୨୨ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ
  • ଅଗଷ୍ଟ ୨୦୨୨ରୁ ବର୍ତ୍ତମାନ ଯାଏଁ ମୁଖ୍ୟମନ୍ତ୍ରୀ ଅଛନ୍ତି