ଟଙ୍କଧରଙ୍କୁ ବିଜେପି କର୍ମୀଙ୍କ ବିରୋଧ, ଆମଦାନୀ ନୁହେଁ ସ୍ଥାନୀୟ ନେତାଙ୍କୁ ବିଧାୟକ ପ୍ରାର୍ଥୀ କର

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଜେପିରେ କିଛି ଠିକ ନାହିଁ । ଟଙ୍କଧର ତ୍ରିପାଠୀଙ୍କୁ ନେଇ ଜିଲ୍ଲା ବିଜେପିରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ଝାରସୁଗୁଡ଼ାରେ ଟଙ୍କଧରଙ୍କୁ ବିଜେପି କର୍ମୀ ଜୋରଦାର ବିରୋଧ କରିଛନ୍ତି । ସ୍ଥାନୀୟ ବ୍ୟକ୍ତିଙ୍କୁ ଟିକେଟ ମିଳୁ କହି ବିଜେପି ଅଫିସରେ ଟଙ୍କଧରଙ୍କ ନାରାବାଜି ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ଝାରସୁଗୁଡାରେ ବିଜେପି ଦଳର ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଚୟନ ଦାବି ହୋଇଛି । ଝାରସୁଗୁଡାର ସ୍ଥାୟୀ ବାସିନ୍ଦାଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ ଘୋଷଣା ଦାବି ନେଇ ଝାରସୁଗୁଡା ସର୍ବାହଲ ସ୍ଥିତ ବିଜେପି ଅଫିସ ଘେରାଉ କରାଯାଇଛି । ଏହାସହ ବିଜେପି ଜିଲ୍ଲା ସଭାପତି ସୁନୀଲ ପଣ୍ଡାଙ୍କୁ ସ୍ଥାନୀୟ ବିଜେପି କର୍ମୀ ଦାବିପତ୍ର ପ୍ରଧାନ କରିଛନ୍ତି ।

ବିଗତ ଦିନରେ ଝାରସୁଗୁଡା ବିଧାନସଭା ନିର୍ବାଚନରେ ଜିଲ୍ଲା ବାହାର ନେତାଙ୍କୁ ପ୍ରାର୍ଥୀ କରାଯାଉଥିବା ବେଳେ ଏଥର ନିର୍ବାଚନରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରାର୍ଥୀ କରାଗଲେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆନ୍ଦୋଳନରତ ବିଜେପି କର୍ମୀ କହିଛନ୍ତି । ନିର୍ବାଚନ ପାଖେଇ ଆସିଲା ପରେ ଏପରି ବିରୋଧ ଝାରସୁଗୁଡା ବିଜେପି ଦଳରେ ରହୁଥିବା ଫାଟକୁ ସ୍ପଷ୍ଟ କରୁଥିବା ବେଳେ ଟଙ୍କଧରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ନିଜ ଦଳର କର୍ମୀ ।