ବରିଷ୍ଠ ବିଜେପି ନେତାଙ୍କ ଇଙ୍ଗିତରେ ଲୋୟର ପିଏମଜିରେ ପୋଲିସକୁ ଆକ୍ରମଣ !

ଭୁବନେଶ୍ବର: ଧାରଣାସ୍ଥଳ ଲୋୟର ପିଏମଜି ଆଜି ହଠାତ ରଣକ୍ଷେତ୍ର ସ୍ଥଳ ପାଲଟିଛି । ପୋଲିସକୁ ଢେଲା ଓ ପଥରମାଡ ସହ ପୋଲିସ ଗାଡି ପୋଡି ଦେବାକୁ ଉଦ୍ୟମ କରିଛନ୍ତି ବିଜେପି କର୍ମୀ  । ଆନ୍ଦୋଳନ ନାଁରେ ଲୋୟର ପିଏମଜିରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି  । ଆଇନଶୃଙ୍ଖଳା ନାଁରେ ବିଜେପି ବିଶୃଙ୍ଖଳା କରିଥିବା ନେଇ ଚାରିଆଡେ ଚର୍ଚ୍ଚା  ।

ବିଜେପି ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ଓ ପୃଥ୍ବୀରାଜ ହରିଚନ୍ଦନଙ୍କ ଇଙ୍ଗିତରେ ଆକ୍ରମଣ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି  । ଆନ୍ଦୋଳନ ନାଁରେ ଆନ୍ଦୋଳନସ୍ଥଳକୁ ବିଜେପି କର୍ମୀମାନେ ଢେଲା, ପଥର ଲୁଚେଇ ଆଣିଥିଲେ  । ରାଜନୈତିକ ଫାଇଦା ପାଇଁ ସେମାନେ ପୋଲିସକୁ ପିଟିଥିବା ଅନୁମାନ କରାଯାଉଛି  । ସବୁବେଳେ ପୋଲିସ ପ୍ରତି ବିଜେପିର ଆକ୍ରୋଶ ରହିଥିବା କିଛି ଦିନ ପୂର୍ବରୁ ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି  ।

ଆଜି ଆନ୍ଦୋଳନସ୍ଥଳରେ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁ ଲୁହାଣ ହୋଇଥିଲା ପୋଲିସ । ଠେଲାପେଲା ଧସ୍ତାଧସ୍ତିରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଡିଏସପି ଅମିତାଭ ମହାପାତ୍ର ଆକ୍ରମଣରେ ଗୁରୁତର ହୋଇଛନ୍ତି । ପୂର୍ବରୁ ପୋଲିସକୁ ଆକ୍ରମଣ କରିବା ନେଇ ସନ୍ଦେହ କରିଥିଲା ବିଜେଡି । ପୋଲିସ ଉପରକୁ ଢ଼େଲା, ପାଣି ବୋତଲ ମାଡ଼ ଓ ଅଣ୍ଡାମାଡ଼ କରିଛି ବିଜେପି । ଉତ୍ତ୍ୟକ୍ତ ବିଜେପି କର୍ମୀ ପୋଲିସ ଗାଡି ଉପରେ ଚଢ଼ି ଭଙ୍ଗାରୁଜା କରିବା ସହ ପେଟ୍ରୋଲ ଢାଳି ଜାଳିଦେବାକୁ ଉଦ୍ୟମ କରିଥିଲେ।