ପ୍ରଶାସନିକ ଅଧିକାରୀଙ୍କୁ ବିଜେପି କର୍ମୀ ଆକ୍ରମଣ ଘଟଣା, ଥାନାରେ ଏତଲା ଦେଲେ ଅଧିକାରୀ

ଜଗତସିଂହପୁର: ଆୟୁଷ୍ମାନ ଯୋଜନା ଶୁଭାରମ୍ଭ ବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତରିକୁନ୍ଦ ପଞ୍ଚାୟତ ଅଫିସ ଆଗରେ ମହିଳା ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ଗୁଣ୍ଡାମାନେ ଗୋଡାଇ ଗୋଡାଇ ଆକ୍ରମଣ କରିବା ଘଟଣା। ଜଗତସିଂହପୁର ଥାନାରେ ଏତଲା ଦେଲେ ମହିଳା ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତା ଖୁଣ୍ଟିଆ । ଏହା ସହ ତରିକୁନ୍ଦ ପଂଚାୟତର ସରପଞ୍ଚ ଏବଂ ପିଏସ ମେମ୍ବର ଏହାକୁ ନିନ୍ଦା କରି ଆକ୍ରମଣକାରୀଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ବିଜେପି ନେତା ଓ ୨୦ରୁ ଅଧିକ କର୍ମୀଙ୍କ ନାମରେ ଥାନାରେ ମାମଲା ହୋଇଛି ।
ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ସୁବୋଧ ବାରିକଙ୍କ ସହ ୨୦ରୁ ଅଧିକ କର୍ମୀଙ୍କ ନାଁରେ ସଙ୍ଗୀନ ଦଫା ଲାଗିଛି । ରଘୁନାଥପୁର ବ୍ଲକ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ, ସରକାରୀ ସମ୍ପତ୍ତି ନଷ୍ଟ, ଅଶାଳୀନ ବ୍ଯବହାର, ଅସଦାଚରଣ, ଟଣାଓଟରା କରିବା ସହ ଏସସି, ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଗତକାଲି ଆୟୁଷ୍ମାନ ଯୋଜନା ଶୁଭାରମ୍ଭବେଳେ ୨୫ରୁ ୩୦ ଜଣ ବିଜେପି କର୍ମୀ ସୁବୋଧ ବାରିକଙ୍କ ନେତୃତ୍ୱରେ ହଠାତ କାର୍ଯ୍ୟକ୍ରମ ଭିତରକୁ ପଶି ଆସି ଚୌକି ଟେବୁଲ ଫୋପଡା ଫୋପଡି କରି ବ୍ୟାନର ଚିରି ଅଶାଳୀନ ଭାଷା ପ୍ରୟୋଗ କରିଥିଲେ । ଏତିକିରେ ସେମାନେ ଅଟକିଯାଇନଥିଲେ । ସେଠାରେ ଉପସ୍ଥିତ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଆକ୍ରମଣର ଦୃଶ୍ଯ ଏପରି ଭୟାନକ ଥିଲା ଯେ ସାରା ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଆକ୍ରମଣ ଘଟଣାକୁ ତିର୍ତ୍ତୋଲ ବିଜୁ ଜନତାଦଳର ବିଧାୟକ ରମାକାନ୍ତ ଭୋଇ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ତୁରନ୍ତ ଆକ୍ରମଣ କାରୀଙ୍କୁ ଗିରଫ କରାଯିବାକୁ ଦାବି କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଏସପି, ଜିଲ୍ଲାପାଳ ଏବଂ ଥାନାକୁ ଯାଇ ୨୪ ଘଣ୍ଟା ଭିତରେ ଆକ୍ରମଣ କରିଥିବା ବିଜେପି ଗୁଣ୍ଡାମାନଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ତିର୍ତ୍ତୋଲ ବିଜୁ ଜନତା ଦଳ ପଷରୁ ଜଗତସିଂହପୁର ଥାନା ଘେରାଉ କରାଯିବା ସହିତ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି।