ସଂଖ୍ୟା ଗରିଷ୍ଠତା ଥାଇ ବି ବିଜେପିକୁ ଅଟକାଇ ପାରିଲେନି ଆପ୍-କଂଗ୍ରେସ, ଚଣ୍ଡିଗଡ଼ରେ ଫୁଟିଲା ପଦ୍ମ
1 min readଚଣ୍ଡିଗଡ଼: ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜି ମାରିଲା ବିଜେପି । ସଂଖ୍ୟା ଗରିଷ୍ଠତା ଥାଇ ବି ବିଜେପି ବିଜୟକୁ ରୋକି ପାରିଲାନି ଆପ-କଂଗ୍ରେସ ମେଣ୍ଟ । ମେୟର ପାଇଁ ୧୯ ଭୋଟ ଆବଶ୍ୟକ ଥିବା ବେଳେ ବିଜେପି ପାଖରେ ୧୬ କାଉନସିଲର ଥିଲେ । ତଥାପି ଆପ ଓ କଂଗ୍ରେସରୁ ତିନିଟି କ୍ରସ୍ ଭୋଟିଂ ହୋଇଥିଲା । ଯାହା ଫଳରେ ବିଜେପି ମେୟର ପ୍ରାର୍ଥୀ ହରପ୍ରୀତ କୌର ବାବଲା ୧୯ ଭୋଟ ପାଇ ବିଜୟୀ ହୋଇଛନ୍ତି ।
ମେୟର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆପ୍ ପ୍ରାର୍ଥୀ ପ୍ରେମଲତାଙ୍କ ସପକ୍ଷରେ ୧୭ଟି ଭୋଟ୍ ପଡିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆପ୍ ଓ କଂଗ୍ରେସ ମେଣ୍ଟ ପାଖରେ ସଂଖ୍ୟା ଗରିଷ୍ଠ କାଉନସିଲର ଥିଲେ । ଏହାସହ ଚଣ୍ଡିଗଡ଼ ଆପ୍ ସାଂସଦଙ୍କ ଭୋଟ ମଧ୍ୟ ତାଙ୍କ ସପକ୍ଷରେ ଥିଲା । ଏହା ପରେ ବି ମେଣ୍ଟ ଦଳ ନିଜ କାଉନସିଲରମାନଙ୍କୁ ହାତରେ ରଖି ପାରି ନଥିଲା । ଗୁପ୍ତ ପ୍ରଣାଳୀରେ ଭୋଟିଂ ହୋଇଥିବାରୁ କେଉଁ କାଉନସିଲର କ୍ରସ ଭୋଟ୍ କରିଛନ୍ତି ତାହା ମଧ୍ୟ ଜାଣି ହେବ ନାହିଁ ।
ତଥ୍ୟ ମୁତାବକ, ଆପ୍ ପାଖରେ ୧୩ କାଉନସିଲର ଥିବା ବେଳେ କଂଗ୍ରେସ ପାଖରେ ୬ କାଉନସିଲର ଅଛନ୍ତି । ଏହାସହ ଚଣ୍ଡିଗଡ଼ ସାଂସଦ ମନୀଷ ତିୱାରୀ ମଧ୍ୟ ଭୋଟ ଦେଇଥିଲେ । ଭୋଟିଂ ପୂର୍ବରୁ ଏକ ରିସୋର୍ଟରେ ସମସ୍ତ ୧୯ ଜଣ କାଉନସିଲରଙ୍କୁ ରଖାଯାଇଥିଲା । ଏହାପରେ ମଧ୍ୟ ଆପ ଓ କଂଗ୍ରେସ ମେଣ୍ଟର ରଣନୀତି ଫେଲ ମାରିଛି ।
ନିର୍ବାଚନ ଆରମ୍ଭ ହେବା ପରେ ପ୍ରଥମେ ମନୀଷ ତିୱାରୀ ଭୋଟ ଦେଇଥିଲେ । ପରେ ଅନ୍ଯମାନେ ଭୋଟ ଦେଇଥିଲେ । ହେଲେ ଆରମ୍ଭରୁ କିଛି ସମୟ ପାଇଁ କାଉନସିଲରଙ୍କ ମଧ୍ଯ ବାଲଟକୁ ନେଇ ବିବାଦ ମଧ୍ଯ ଦେଖା ଦେଇଥିଲା । ଆପ କାଉନସିଲର ଯଶବିନ୍ଦର କୌର ତାଙ୍କ ବାଲଟରେ ଡଟ ଚିହ୍ନ ଥିବା ଦେଖାଇ ଦ୍ବିତୀୟ ବାଲଟ ନେବାରୁ ବିବାଦ ତେଜିଥିଲା ।
ଚଣ୍ଡୀଗଡ଼ କାଉନସିଲରେ ମୋଟ ସଦସ୍ଯ ସଂଖ୍ଯା ୩୫ ଥିବାବେଳେ ସ୍ଥାନୀୟ ସାଂସଦଙ୍କୁ ଭୋଟ ଦେବାକୁ ଅନୁମତି ରହିଛି । ଅର୍ଥାତ ୩୬ ଭୋଟକୁ ନେଇ ମତଦାନ କରାଯାଇଛି । ବିଜେପିର ୧୬ ସଦସ୍ଯ ଥାଇ ମଧ୍ଯ ତିନିଟି କ୍ରସ ଭୋଟିଂ ବଳରେ ମ୍ଯାଜିକ ନମ୍ବର ଉପରେ ରହି ମେୟର ପଦ ହାତେଇ ନେବାକୁ ସକ୍ଷମ ହୋଇଛି ଦଳ ।