ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶାହଙ୍କ ଦୃଢୋକ୍ତି; ଆସନ୍ତା ୩୦-୪୦ ବର୍ଷ ସରକାରରେ ରହିବ ବିଜେପି

ହାଇଦ୍ରାବାଦ: ହାଇଦ୍ରାବାଦରେ ଚାଲିଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି  । ସେ କହିଛନ୍ତି ଆଗାମୀ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପି ସରକାରରେ ରହିବ ଏବଂ ଏହି ସମୟରେ ଭାରତ ବିଶ୍ୱଗୁରୁ ହେବାର ଅଭିଳାଷାକୁ ପୂରା କରିବ । ଶାହ କହିଛନ୍ତି, ବଂଶବାଦ, ଜାତିବାଦ ଏବଂ ତୁଷ୍ଟିକରଣ ଦେଶର ରାଜନୀତି ପାଇଁ ସବୁଠୁ ବଡ ଅଭିଶାପ ଥିଲା । କିନ୍ତୁ ବିଜେପି ଶାସନରେ ଏସବୁକୁ ହଟାଯାଇଛଇ ।

ଗୃହମନ୍ତ୍ରୀ ଶ୍ରୀ ଶାହ ଆଗକୁ କହିଛନ୍ତି, ବିଜେପି ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପାରିବାରିକ ଶାସନକୁ ଶେଷ କରିଦେବ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶା ସହିତ ଅନ୍ୟ ରାଜ୍ୟରେ ମଧ୍ୟ ଶାସନ କ୍ଷମତାକୁ ଆସିବ  । ୨୦୧୪ରୁ କେନ୍ଦ୍ରରେ କ୍ଷମତାଶୀନ ବିଜେପି ଏହି ରାଜ୍ୟଗୁଡିକରେ କ୍ଷମତାଠୁ ବାହାରେ ଅଛି । ଆଗାମୀ ଦିନରେ ବିଜେପିର ଦୃଢ ନେତୃତ୍ୱ ଓ ରଣନୀତି ପାଇଁ ଏହି ରାଜ୍ୟଗୁଡିକରେ ସରକାର ବନାଇବା ରେ ସଫଳ ହେବ ।

ଗୁଜୁରାଟ ଦଙ୍ଗାକୁ ନେଇ ନିକଟରେ ପ୍ରକାଶିତ ସୁପ୍ରିମକୋର୍ଟଙ୍କ ରାୟକୁ ଶାହ ଐତିହାସିକ ବୋଲି କହିଛନ୍ତି  । ଗୁଜୁରାଟ ଦଙ୍ଗାରେ ମୃତ୍ୟୁବରଣ କରିଥିବା ଦିବଙ୍ଗତ ସାଂସଦ ଏହସାନ ଜାଫରୀଙ୍କ ପତ୍ନୀ ଜାକିଆ ଜାଫରୀ ସୁପ୍ରିମକୋର୍ଟରେ ଗୁଜୁରାଟ ଏସଆଇଟିର କ୍ଲିନଚିଟ ନୋଟିସକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିବା ସହ ଏସଆଇଟିର ମୋଦୀଙ୍କ ସମେତ ୬୪ ଜଣଙ୍କୁ କ୍ଲିନ ଚିଟ ଦେବାକୁ ସଠିକ ବୋଲି କହିଥିଲେ  ।