ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନିଯୁକ୍ତି ହେବେ ପର୍ଯ୍ୟବେକ୍ଷକ: ହାଇକମାଣ୍ଡଙ୍କ ନିକଟକୁ ପଠାଯିବ ନାମ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ଶାନଦାର ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ ଜାରି ରହିଛି । ମୁଖ୍ୟମନ୍ତ୍ରୀ କାହାକୁ କରାଯିବ, କେଉଁ ଫର୍ମୂଲା ଆପ୍ଲାଏ ହେବ ତାହାକୁ ତଜର୍ମା କରୁଛନ୍ତି ହାଇକମାଣ୍ଡ । ଦୀର୍ଘବର୍ଷ ପରେ ଦିଲ୍ଲୀରେ ପଦ୍ମ ଫୁଟିଥିବାରୁ ଏଥର ବିଜେପି ସରପ୍ରାଇଜ୍ ଦେଇପାରେ ବୋଲି କୁହାଯାଉଛି । ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ସମୟରେ ବିଜେପି ସର୍ବଦା ସଭିଙ୍କୁ ଚକିତ କଲା ଭଳି ପଦେକ୍ଷପ ଗ୍ରହଣ କରିଥାଏ । ତେଣୁ ଏଥର ରାଷ୍ଟ୍ରୀୟ ରାଜଧାନୀରେ ଅନୁରୂପ କିଛି ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ରେସରେ ଏକାଧିକ ଚେହେରା ରହିଥିଲେ ହେଁ ଦଳ କେଉଁ ଗୋଟି ଚାଳନା କରୁଛି, ତା’ ଉପରେ ସଭିଙ୍କ ନଜର ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନାମକୁ ନେଇ ବିଜେପି ଅନ୍ତିମ ରୂପ ଦେବାକୁ ଯାଉଛି । ଏଥିପାଇଁ ନବନିର୍ବାଚିତ ବିଧାୟକଙ୍କ ସହିତ ଆଲୋଚନା ପାଇଁ ଦଳ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିବ । ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ପ୍ରତିନିଧିତ୍ବ କରିବେ ପର୍ଯ୍ୟବେକ୍ଷକ । ଦଳର ୪୮ ଜଣ ବିଧାୟକ ଓ ହାଇକମାଣ୍ଡଙ୍କ ମଧ୍ୟରେ ମଧ୍ୟସ୍ଥତା କରିବେ ପର୍ଯ୍ୟବେକ୍ଷକ । ବିଧାୟକଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ନାମ ହାଇକମାଣ୍ଡଙ୍କ ନିକଟକୁ ପଠାଇବେ ପର୍ଯ୍ୟବେକ୍ଷକ ବୋଲି କହିଛନ୍ତି ଦିଲ୍ଲୀ ଭାଜପା ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା । ଖୁବଶୀଘ୍ର ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାରି ରହିଥିବା ସସପେନ୍ସ ଉପରୁ ହଟିବ ପରଦା । ସୂଚନାଯୋଗ୍ୟ ଯେ, ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିଛି । ବିଧାନସଭାର ମୋଟ ୭୦ଟି ଆସନ ମଧ୍ୟରୁ ବିଜେପି ୪୮ଟି ଆସନରେ ଜିତିଥିବା ବେଳେ ଆମ ଆଦମୀ ପାର୍ଟି (ଆପ)କୁ ୨୨ଟି ମିଳିଥିଲା । ଏଥର ଦିଲ୍ଲୀରେ ଆପର ଗଡ଼ ଚୁରମାର ହୋଇଯାଇଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନଥିଲା ।