ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି କରୁଛି ଗୁଣ୍ଡାଗର୍ଦ୍ଦି: ଭୋଟରଙ୍କୁ ଧମକାଉଛି, ପ୍ରାର୍ଥୀଙ୍କୁ ଆକ୍ରମଣ କରୁଛି

ଭଦ୍ରକ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି କରୁଛି ଗୁଣ୍ଡାଗର୍ଦ୍ଦି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ୨ ନମ୍ୱର ଜୋନରେ ବିଜେପିକୁ ଘାରିଛି ହାରିବା ଭୟ । ଯେଉଁଥି ପାଇଁ ଗୁଣ୍ଡାଗିରି ଚଳାଇଛି ବିଜେପି । ମୌସୁଧା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଧମକ ଦେବା ସହ ଗାଡ଼ି ଭାଙ୍ଗିଥିବା ନେଇ ବାଂଶଡା ଥାନାରେ ମାମଲା ରୁଜୁ ହୋଇଛି ।

ରାତି ହେଲେ ବିଜେପି କର୍ମୀମାନେ ମାରଣାସ୍ତ୍ର ଧରି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପକ୍ଷରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଶରଧାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଛି । ଆହତ ଜଣକ ହେଲେ ଚେନି ପ୍ରସାଦ ରାଓ । ଆକ୍ରୋଶ ମୂଳକ ଭାବେ ତାଙ୍କୁ ବିରୋଧୀ ବିଜେପି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶୋଭାଯାତ୍ରା ସମୟରେ କିଛି ବିଜେପି କର୍ମୀ ଚେନି ପ୍ରସାଦଙ୍କ ସହ ଯୁକ୍ତି ତର୍କ କରିଥିଲେ । ପ୍ରଚାର ଶେଷ ହେବା ପରେ ରାତି ପ୍ରାୟ ୯ ଘଣ୍ଟା ସମୟରେ ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ନିକଟରୁ ଉଦ୍ଧାର କରାଯାଇଥିଲା । କିଛି ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରୁଥିବା ବେଳେ ଲୋକ ଦେଖି ପାଟି କରିଥିଲେ । ଫଳରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଭାବେ ଚେନି ପ୍ରସାଦ ରାଓଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚେନି ପ୍ରସାଦଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଦୋଷୀଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।

Leave a Reply