‘ଚୀନ୍-ପାକିସ୍ତାନ ସହିତ କେବେ ଯୁଦ୍ଧ ହେବ ତାହା ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇଛନ୍ତି’: ସ୍ୱତନ୍ତ୍ର ଦେବ ସିଂ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ସହ କେବେ ଯୁଦ୍ଧ ହେବ ତାହା ନିଷ୍ପତ୍ତି ହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦୀ ପୁରା ପ୍ଲାନ ପ୍ରସ୍ତୁତ କରି ରଖିଛନ୍ତି । ତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟିର ସଭାପତି ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଏବଂ ଚୀନ୍ ସହିତ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି । ସ୍ୱତନ୍ତ୍ର ଦେବ ସିଂଙ୍କ ବିବୃତ୍ତି ଏଭଳି ସମୟରେ ଆସିଛି ଯେଉଁ ସମୟରେ ଲଦାଖରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ତିକ୍ତତା ଜାରିରହିଛି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ସମ୍ବିଧାନର ଧାରା ୩୭୦ ଅନୁଯାୟୀ ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ ହେବା ନେଇ ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି ଯେ ରାମ ମନ୍ଦିର ଏବଂ ଧାରା ୩୭୦ ପରି ପାକିସ୍ତାନ ଏବଂ ଚୀନ୍ ସହ କେତେବେଳେ ଯୁଦ୍ଧକୁ ଯିବେ ସେନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି । ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓରେ ସ୍ୱତନ୍ତ୍ର ଦେବ ଏହା କହୁଥିବାର ଶୁଣିବାକୁ ମିଳୁଛି ।

ବଲିଆରେ ବିଜେପି ବିଧାୟକ ସଞ୍ଜୟ ଯାଦବଙ୍କ ଘରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଦେବ ସିଂ ଭାଷଣ ଦେଇଥିଲେ । ଏହି ଭିଡିଓ ସଂଜୟ ଯାଦବଙ୍କ ଦ୍ୱାରା ସୋସିଆଲ ମିଡିଆରେ ରିଲିଜ୍ ହୋଇଛି । ସ୍ୱତନ୍ତ୍ର ଦେବ ସିଂ ତାଙ୍କ ସମ୍ବୋଧନରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର କର୍ମୀଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିଲେ ।

ତେବେ ରାଜ୍ୟ ବିଜେପି ସଭାପତିଙ୍କ ବିବୃତ୍ତି ବିଷୟରେ ପଚରାଯିବାରୁ ସ୍ଥାନୀୟ ସାଂସଦ ରବିନ୍ଦ୍ର କୁଶୱା କହିଛନ୍ତି ଯେ କର୍ମି ମାନଙ୍କ ଶକ୍ତି ଦେବା ପାଇଁ ସେ ଏହା କହିଛନ୍ତି ।

ରବିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଭାରତ ଚୀନ୍ ସହ ସୀମା ତିକ୍ତତା ଦୂର କରିବାକୁ ଚାହୁଁଛି । ରାଜନାଥ ସିଂ ଏହା ମଧ୍ୟ କହିଛନ୍ତି ଯେ ସେ ସୀମାରେ କାହାକୁ ଏକ ଇଞ୍ଚ ଜମି ନେବାକୁ ଦେବେ ନାହିଁ ।

Leave a Reply