ଅସଲ ମୁକାବିଲା ବିଜେପି ବନାମ ନୀତିଶ,ଚିରାଗ ତ’କେବଳ ମୋହରା

1 min read

ଏମିତିରେ ବିହାର ହେଉଛି ଭାରତୀୟ ରାଜନୀତିର ପ୍ରୟୋଗଶାଳା । ବିହାର ମାଟିରୁ ହିଁ ଜେପି ଆନ୍ଦୋଳନ ଉଠିଥିଲା ଯାହା ଇନ୍ଦିରାଙ୍କ କ୍ଷମତାରୁ ହଟିବାରେ ସମାପ୍ତ ହୋଇଥିଲା । ପୁଣି ବିହାରରୁ ହିଁ MY ବା ମୁସଲିମ-ଯାଦବ ସମୀକରଣର ସୋସିଆଲ ଇଂଜିନିୟରିଂ ସୂତ୍ର ବାହାର କରି ଲାଲୁ ଯାଦବ ୧୯୯୦ରୁ ୨୦୦୫ ପର୍ଯ୍ୟନ୍ତ କ୍ଷମତାକୁ ଅଜଗର ଭଳି ଜାବୁଡି ଧରିଥିଲେ । କିନ୍ତୁ ସବୁ ପରୀକ୍ଷ ନିରିକ୍ଷାକୁ ଏଥରରର ବିଧାନସଭା ନିର୍ବାଚନ ବଳି ଯାଉଛି । କରୋନା କାଳରେ ହେଉଥିବା ଏହି ନିର୍ବାଚନରେ ମେଣ୍ଟ ଭିତରେ ମେଣ୍ଟ ରାଜନୀତି ଦେଖିବାକୁ ମିଳୁଛି । ମହାମେଣ୍ଟ ହେଉ କି ଏନଡିଏ ଉଭୟ ମେଣ୍ଟରେ ସହଯୋଗୀ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।  ଏନଡିଏ ଏବେ କ୍ଷମତାରେ ଅଛି ତେଣୁ ଫୋକସରେ ମଧ୍ୟ ରହିଛି । ଲୋକଙ୍କ ମନରେ ସ୍ୱତଃ ଏହି ମେଣ୍ଟ ଓ ଏହାର ଅଂଶୀଦାରଙ୍କୁ ନେଇ ଉତ୍ସୁକତା ରହିଛି । ନୀତିଶ ଓ ଏଲଜେପିର ଚିରାଗ ପାଶ୍ୱାନଙ୍କ ମଧ୍ୟରେ ଚାଲିଥିବ ଲଢେଇ ସାମ୍ନାକୁ ନୀତିଶ ଓ ଚିରାଗଙ୍କ ରାଜନୈତିକ ମହତ୍ୱାକାଂକ୍ଷାର ଲଢେଇ ଲାଗୁଥାଇ ପାରେ କିନ୍ତୁ ଅସଲରେ ଏହା ହେଉଛି ବିଜେପି ବନାମ ନୀତିଶ ଲଢେଇ । ଚିରାଗ କେବଳ ମାତ୍ର ମୋହରା ବୋଲି ରାଜନୈତିକ ବିଶ୍ଲେଷକ କହୁଛନ୍ତି । ବିଜେପି,ଚିରାଗଙ୍କୁ ନୀତିଶଙ୍କ ବିରୋଧରେ ବ୍ୟବହାର କରୁଛି ବୋଲି ଆଲୋଚନା ହେଉଛି । ଆସନ୍ତୁ ଜାଣିବା ବିହାରରେ କେମିତି ଅସଲ ଲଢେଇ ବିଜେପି ଓ ନୀତିଶଙ୍କ ମଧ୍ୟରେ ହେଉଛି..

ବିଜେପି ଓ ଜେଡିୟୁ ମଧ୍ୟରେ ବଡ ଭାଇ କିଏ ?

୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ କିଏ ବଡ ଭାଇ ତାହା ସ୍ପଷ୍ଟ ଥିଲା । ଜେଡିୟୁ ବଡ ଭାଇ ବୋଲି ବିଜେପି ମଧ୍ୟ ଜାଣିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏନଡିଏ ନେତାଙ୍କ ସାମ୍ନାରେ ଏହା ସ୍ପଷ୍ଟ କରି ଦେଇଥିଲେ ଯେ,ବିହାରରେ ନିର୍ବାଚନ ନୀତିଶଙ୍କ ନେତୃତ୍ୱରେ ଲଢାଯିବ । କିନ୍ତୁ ୨୦୧୪ ନିର୍ବାଚନ ବେଳକୁ ସ୍ଥିତି ବଦଳି ସାରିଥିଲା । ମୋଦିଙ୍କୁ ନେଇ ଜେଡିୟୁ ଏନଡିଏ ସହ ସଂପର୍କ ତୁଟାଇ ଦେଇଥିଲା । କିନ୍ତୁ ମୋଦି ମାନିଆ ବିହାରରେ ବି କମାଲ ଦେଖାଇ କମଲ (ପଦ୍ମ) ଫୁଟାଇ ଥିଲା । ନିରାଶ ନୀତିଶଙ୍କୁ ୨୦୧୫ ବିଧାନସଭା ନିର୍ବାଚନ ପାଇଁ ଲାଲୁ ଯାଦଙ୍କ ଆରଜେଡି ସହ ମେଣ୍ଟ କରିବାକୁ ପଡିଥିଲା । ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ହେଲେ । କିନ୍ତୁ ମେଣ୍ଟ ସରକାର ପାଟନାରେ ଅଧିକ ଦିନ ଚାଲିନଥିଲା । ୨୦୧୬ରେ ନୀତିଶ ପୁଣି ଏନଡିଏ ଶିବିରକୁ ଫେରିଥିଲେ । ଏହାପରଠାରୁ ପୁଣି ଥରେ ସେହି ପ୍ରଶ୍ନ ଉଠିଥିଲା ଯେ, ବଡ ଭାଇ କିଏ ? ୨୦୧୯ ଲୋକସଭା ନିର୍ବାଚନ କାଳରେ ଉଭୟ ଦଳ ସମାନ ସଂଖ୍ୟକ ସିଟରେ ନିଜ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ତଥାପି ମଧ୍ୟ ବଡ ଭାଇ କିଏ ? ଏହି ପ୍ରଶ୍ନ ମଝିରେ ମଝିରେ ଉଠୁଥିଲା । ତେବେ ଏବେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ନେତା ଜେଡି(ୟୁ) ଓ ବିଜେପି ଜାଆଁଳା ଭାଇ ବୋଲି କହୁଛନ୍ତି । ଅବଶ୍ୟ ନୀତିଶ କିମ୍ବା ଜେଡିୟୁ ଏହାକୁ ନେଇ ମୁହଁ ଖୋଲୁ ନାହାନ୍ତି ।

nitish bjp ljp

ଯାହାର ଅଧିକା ପ୍ରାର୍ଥୀ ସିଏ ବଡଭାଇ ?

ଏପର୍ଯ୍ୟନ୍ତ ଉଭୟ ଦଳ ସିଟ୍ ଭାଗବଣ୍ଟାକୁ ନେଇ ଆଧିକାରିକ ଘୋଷଣା କରିନାହାନ୍ତି ।  ଦୁଇ ଦଳଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଲୋକ ଜନଶକ୍ତି ପାର୍ଟି ମେଣ୍ଟରୁ ବାହାରି ଯାଇଛି । ପ୍ରକୃତ କଥା ହେଉଛି ବିଜେପି ଓ ଜେଡିଓ ୨୪୩ ଆସନକୁ ନିଜ ମଧ୍ୟରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ଜେଡିୟୁ ନିଜ ଭାଗରେ ପଡୁଥିବା ଆସନରୁ ଜୀତନ ରାମ ମାଂଝିଙ୍କ ଦଳ ହମ୍ ଓ ବିଜେପି ରାମ ବିଳାଶ ପାଶ୍ୱାନଙ୍କ ପାର୍ଟି ଲୋକ ଜନଶକ୍ତି ପାର୍ଟିକୁ ନିଜ ଭାଗରୁ ସିଟ୍ ଦେବ ବୋଲି କଥା ଛିଡିଥିଲା । ତେବେ ଏଲଜେପି ୪୨ ଆସନ ଉପରେ ଦାବି ରଖୁଥିଲା,ବିଜେପି ଯଦି ନିଜ ଭାଗରୁ ୪୨ ଆସନ ଛାଡୁଥିଲା ତେବେ ଏହାକୁ ୧୦୦ ଆସନରେ ନିର୍ବାଚନ ଲଢିବାକୁ ପଡିଥାନ୍ତା । ଅନ୍ୟପକ୍ଷରେ ଜେଡିୟୁ କୌଣସି ପରିସ୍ଥିତିରେ ମଧ୍ୟ ଏଲଜେପିକୁ ସିଟ୍ ଦେବାକୁ ପ୍ରସ୍ତୁତ ନଥିଲ । ତେଣୁ ଶେଷରେ ଏଲଜେପି ମେଣ୍ଟରୁ ବାହାରି ଯାଇଥିଲା ।

paswan

ଏହି ଉପାୟରେ ଜେଡିୟୁଠାରୁ ଅଧିକ ସିଟ୍ ଜିତିବ ବିଜେପି ?

ଏଲଜେପି ବିହାରରେ ମଣିପୁର ଫର୍ମୁଲା ପ୍ରୟୋଗ କରୁଛି । ଏହି ଫର୍ମୁଲା ଅନ୍ତର୍ଗତରେ ବିହାର ନିର୍ବାଚନରେ ଏଲଜେପି ଏନଡିଏ ଅଂଶିଦାର ଜେଡିୟୁ ଓ ହମ୍ ବିରୋଧରେ ପ୍ରାର୍ଥୀ ଦେବ ଓ ବିଜେପି ବିରୋଧରେ କମ ଆସନରେ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା କରିବ । ଏଲଜେପି ଏହା ସ୍ପଷ୍ଟ କରି ସାରିଛି ଯେ, ବିଜେପି ସହିତ ଏହାର ଭଲ ସଂପର୍କ ରହିଛି । ଏନେଇ ଏଲଜେପିର ଗୋଟିଏ ପୋଷ୍ଟରକୁ ବିଚାରକୁ ନିଆଯାଇ ପାରେ । ସେହି ପୋଷ୍ଟରରେ ଏଲଜେପି ଲେଖିଛି ଯେ,ମୋଦି ତୁଝସେ ବୈର ନେହିଁ ନୀତିଶ ତେରା ଖୈର ନେହିଁ । ଅର୍ଥାତ ମୋଦି(ବିଜେପି) ସହ ଶତ୍ରୁତା ନାହିଁ କିନ୍ତୁ ନୀତିଶଙ୍କ ନିସ୍ତାର ନାହିଁ । ଅର୍ଥାତ ନିର୍ବାଚନ ପରେ ସରକାର ଗଠନରେ ବିଜେପିକୁ ଏଲଜେପି ସମର୍ଥନ କରିବ । ବିଜେପି ଓ ଜେଡିୟୁ ମଧ୍ୟରେ ଯଦି ୨୪୩ ଆସନ ସମାନ ସମାନ ଭାଗରେ ବଣ୍ଟା ଯାଏ ,ତେବେ ବିଜେପି ଖାତାକୁ ୧୨୨ କିମ୍ବା ୧୨୧ ଆସନ ଆସିବ । ଅନ୍ୟପକ୍ଷରେ ଏଲଜେପି କହୁଛି ଏହା ୧୪୩ ଆସନରେ ପ୍ରାର୍ଥୀ ଦେବ । ଏହାର ମାନେ ହେଉଛି ୨୧ କିମ୍ବା ୨୨ ସିଟରେ ବିଜେପି ଓ ଏଲଜେପି ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା ହେବ । ଏହାର ଅର୍ଥ ହେଉଛି ସବୁ ୨୪୩ ଆସନରେ ବିଜେପି ପ୍ରାର୍ଥୀ ହିଁ ନିର୍ବାଚନ ଲଢିବେ । କାରଣ ନିର୍ବାଚନ ପରେ ଏଲଜେପିର ବିଜୟୀ ପ୍ରାର୍ଥୀ ବିଜେପିକୁ ସରକାର ଗଠନରେ ସାହାଯ୍ୟ କରିବେ । ଏହାର ଘୋଷଣା ଆରମ୍ଭରୁ ହିଁ ଏଲଜେପି କରିସାରିଛି

ଏଲଜେପିରୁ ଅଲଗା ହେଲେ ଜେଡିୟୁର ଆସନ କମିବ

ମଣିପୁର ଫର୍ମୁଲା ଯୋଗୁ ବିହାରରେ ଜେଡିୟୁକୁ କ୍ଷତି ସହିବାକୁ ପଡିବ । କାରଣ ପ୍ରତି ଆସନରେ ଜେଡିୟୁ ଓ ହମ୍ ପ୍ରାର୍ଥୀଙ୍କୁ ଏଲଜେପି ପ୍ରାର୍ଥୀଙ୍କ ବିରୋଧରେ ଲଢିବାକୁ ପଡିବ । ଅନ୍ୟପକ୍ଷରେ ବିଜେପି ଆଗରେ ଭୋଟ କାଟିବା ପାଇଁ ଏଲଜେପିର ଖୁବ କମ ପ୍ରାର୍ଥୀ ରହିବ । ଏମିତିରେ ଫଳାଫଳ ଆସିବା ପରେ ଯଦି ଜେ଼ଡିୟୁ ଠାରୁ ବିଜେପି ଅଧିକ ଆସନ ଯିତେ ତେବେ କାହାର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବେ ? ଏହା ଏକ ରୋଚକ ପ୍ରଶ୍ନ ହେବାକୁ ଯାଉଛି । ଏମିତିରେ ବିଜେପି ବହୁତ ଥର କହି ସାରିଲାଣି ଯେ, ବିହାରରେ ଏନଡିଏର ନେତା ନୀତିଶ କିନ୍ତୁ ଯଦି ବିଜେପି ଅଧିକ ସିଟ୍ ଯିତେ ତେବେ କ’ଣ ହେବ ?

ବଡ ଦଳିତ ପ୍ରେମୀ କିଏ ?

ବିହାର ନିର୍ବାଚନ ପୂର୍ବରୁ ସବୁ ଦଳ ନିଜର ଦଳିତ ପ୍ରେମ ଦେଖାଇବାରେ ବ୍ୟସ୍ତ । ନୀତିଶ ଘୋଷଣ କରି ସାରିଛନ୍ତି ଯେ,ଯଦି କୌଣସି ଦଳିତଙ୍କ ହତ୍ୟା ହୁଏ ତେବେ ତାଙ୍କ ପରିବାରର ଜଣକୁ ସରକାରୀ ଚାକିରି ମିଳିବ ।ଏଣେ ବିଜେପି ପ୍ରରୋଚନାର ରାମଦାସ ଅଠାବଲେଙ୍କ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ବିହାର ନିର୍ବାଚନରେ ପ୍ରାର୍ଥୀ ଦେଉଛି । ସେପଟେ ବିଜେପି ଚିରାଗଙ୍କୁ ସମର୍ଥନ କରିବା ଦେଖାଉଛି । ଯେମିତି ଲାଗିବ ଏହା ଦଳିତଙ୍କ ବଡ ସମର୍ଥକ । ଏହି ଖେଳ ଭିତରେ ଲାଗୁଛି ଯେ,ଏଲଜେପିକୁ ବିଜେପି ମୋହରା ଭଳି ବ୍ୟବହାର କରୁଛି । କିନ୍ତ ଏହା ମଧ୍ୟ ସତ ଯେ, ରାମବିଳାଶ ପାଶ୍ୱାନଙ୍କ ଭଳି ରାଜନୈତିକ ପାଣିପାଗ ବିଜ୍ଞାନୀ କିଛି ଦେଖିକରି ପୁଅକୁ ଏନଡିଏ ଛାଡି ନୀତିଶଙ୍କ ବିରୋଧରେ ବିଗୁଲ ଫୁଙ୍କିବାକୁ ଇଶାରା ଦେଇଥିବେ ।

Leave a Reply