ବିବାଦୀୟ ଭିଡ଼ିଓ ପାଇଁ ବିଧାୟକ ରାଜା ସିଂହଙ୍କୁ ଦଳରୁ ନିଲମ୍ବିତ କଲା ବିଜେପି

ହାଇଦ୍ରାବାଦ : ସୋସିଆଲ ମିଡ଼ିଆରେ ଅପଲୋଡ୍ ହୋଇଥିବା ଗୋଟିଏ ବିବାଦୀୟ ଭିଡ଼ିଓ ପାଇଁ ଗିରଫ ହୋଇଥିବା ବିଜେପିର ଗୋସମହଲ ବିଧାୟକ ରାଜା ସିଂହଙ୍କୁ ଦଳ ନିଲମ୍ବିତ କରିଛି । ସୂଚନାଯୋଗ୍ୟ ଯେ, ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ କଥିତ ଅପମାନଜନକ ଟିପ୍ପଣୀକୁ ନେଇ ମଙ୍ଗଳବାର ଦିନ ହାଇଦ୍ରାବାଦ ସହରର ବିଭିନ୍ନ ଭାଗରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ସହରର ବିଭିନ୍ନ ଥାନାରେ ଏନେଇ ମାମଲା ମଧ୍ୟ ରୁଜ୍ଜ ହୋଇଥିଲା ।

ପରେ ପୋଲିସ ବିଧାୟକ ରାଜା ସିଂହଙ୍କୁ ଧର୍ମୀୟ ଭାବନା ଆହତ କରିଥିବା ଅଭିଯୋଗରେ ଗିରଫ କରିଥିଲା । ହାଇଦ୍ରାବାଦରେ ବିବାଦୀୟ ଷ୍ଟାଣ୍ଡ୍ ଅପ୍ କମେଡିଆନ୍ ମୁନାବର ଫରୁକିର ଏକ କାର୍ଯ୍ୟକ୍ରମକୁ ନେଇ ଟିପ୍ପଣୀ ଦେଇ ରାଜା ସିଂହ ଏଭଳି ଭିଡିଓ ଅପଲୋଡ୍ କରିଥିଲେ । ସୋମବାର ଦିନ ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଜାରି କରିଥିଲେ ।

ସୂଚନାଯୋଗ୍ୟ ଯେ, ଫାରୁକୀ ଭଗବାନ ରାମଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେବା ପରେ ତାଙ୍କ ବିରୋଧରେ ଦେଶ ବ୍ୟାପୀ ଆକ୍ରୋଶ ପ୍ରକାଶିତ ହୋଇଥିଲା । ଫାରୁକୀର କାର୍ଯ୍ୟକ୍ରମକୁ ବିଭିନ୍ନ ସ୍ଥାନରେ ବୟକଟ୍ କରାଯାଉଛି । ହାଇଦ୍ରାବାଦରେ ଫାରୁକୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ସୋମବାର ଦିନ ରାଜା ସିଂହ ଭିଡିଓ ଜାରି କରିଥିଲେ । ସୋମବାର ଦିନ ରାଜା ସିଂହଙ୍କ ଗିରଫଦାରୀ ଦାବି କରି ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ହୋଇଥିଲା ।  ଅଲ ଇଣ୍ଡିଆ ମଜଲିସ ଏ ଇତେହାଦୁଲ ମୁସଲିମିନ୍ ପାର୍ଟିର ଅନେକ ବିଧାୟକ ଓ କାଉନସିଲର ବିକ୍ଷୋଭରେ ସାମିଲ ଥିଲେ ।

ପରେ ରାଜାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜ୍ଜ ହୋଇଥିଲା । ଏହାପୂର୍ବରୁ ଏକ ଲାଇଭ୍ ଟିଭି ଡିବେଟରେ ବିଜେପି ମୁଖପାତ୍ର ନୂପୁର ଶର୍ମା ଜଣେ ମୁସଲିମ୍ ପ୍ୟାନେଲିଷ୍ଟଙ୍କୁ ଯବାବ ଦେଇ ବିବାଦୀୟ ଟିପ୍ପଣୀ କରିଥିଲେ । ଯାହାକୁ ନେଇ ଦେଶବ୍ୟାପୀ ଆକ୍ରୋଶ ପ୍ରକାଶିତ ହୋଇଥିଲା । ଖୋଦ ସୁପ୍ରିମକୋର୍ଟ୍ ମଧ୍ୟ ଏହି ମାମଲାରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ ।