ବିରୋଧୀଙ୍କ ଶିବିରରେ ହତାଶା: ପୌର ପ୍ରଚାରରେ ବିଜେପିର ଅସ୍ତିତ୍ୱ ନେଇ ପ୍ରଶ୍ନ କରୁଛନ୍ତି ଦଳୀୟ କର୍ମୀ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଜମିଳାଣି ପ୍ରଚାର । ଏନଏସି ଅଧ୍ୟକ୍ଷଠୁ ନେଇ ମେୟର ପଦ ଯାଏଁ ତାତିଲାଣି ସହର । କିନ୍ତୁ ବିରୋଧୀ ଶିବିରରେ ଦେଖାଦେଲାଣି ଅସହଯୋଗ ଓ ପ୍ରାର୍ଥୀ ସଙ୍କଟ । କଂଗ୍ରେସରୁ ଲଢିବାକୁ ପ୍ରାର୍ଥୀ ଆଗ୍ରହ ପ୍ରକାଶ କରୁନଥିବା ବେଳେ ବିଜେପିରେ ମିଳୁନି ଦଳୀୟ ନେତାଙ୍କ ଆଶୀର୍ବାଦ ଓ ସମର୍ଥନ । ବିରୋଧୀ ଶିବିରରେ ଦେଖାଦେଇଥିବା ଏହି ନିଆଁରେ ଘିଆ ଢାଳିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ଓରଫ ଜିମ ବାପି । ବିଜେପିରେ ଅଲ ଇଜ ନଟ ୱେଲ ଚେହେରାକୁ ପଦାରେ ପକାଇଦେଇଛନ୍ତି ।

ଆରମ୍ଭରୁ ହିଁ ବିରୋଧୀ ହତାଶ । କିଏ ପ୍ରାର୍ଥୀ ପାଉନାହାଁନ୍ତି ତ କାହାକୁ ମିଳୁନି ଦଳୀୟ ସହଯୋଗ । ବିରୋଧୀ ଶିବିରରେ ହତାଶା ବିଜେଡିକୁ ଯୋଗାଇଛି ବଳ । ପଞ୍ଚାୟତରେ ବାଜିମାତ ପରେ ସମସ୍ତ ୧୦୯ ପୌରାଞ୍ଚଳ ଦଖଲ କରିବାକୁ ଅଣ୍ଟାଭିଡିଛି ବିଜେଡି । ଆଉ ବିଜେଡିର ରଣନୀତିକୁ ସଶକ୍ତ କରିଛି ବିରୋଧୀ ଶିବିରରେ ଦେଖାଦେଇଥିବା ହତାଶା । କଂଗ୍ରେସ ସବୁ ୱାର୍ଡରେ ଲଢିବାକୁ ପ୍ରାର୍ଥୀ ପାଉନି । ଖୋଦ ଭୁବନେଶ୍ୱର ମହାନଗର ନିଗମରେ ୨୦ ୱାର୍ଡରେ ପାର୍ଥୀ ଦେଇପାରିନି ଦେଶର ସର୍ବପୂରାତନ ଦଳ । ଅନ୍ୟପକ୍ଷରେ ଫେସବୁକରେ ଏକ ପୋଷ୍ଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ଓରଫ ଜିମ ବାପି ।

ପୌର ପ୍ରଚାରରେ ବିଜେପିର ଅସ୍ତିତ୍ୱ ନେଇ ପ୍ରଶ୍ନ କରିଛନ୍ତି ବାପି । ଛଅରୁ ସାତ ଦିନ ପ୍ରଚାର ବାକି ଅଛି । ହେଲେ ପ୍ରାର୍ଥୀଙ୍କୁ ପତାକା ଦେଇ ପାରୁ ନାହିଁ ଦଳ । ସତସାହସ ନଥିବାରୁ ଦଳୀୟ ନେତାଙ୍କୁ ନିର୍ବାଚନରୁ ଓହରିବାକୁ ସେ ଆହ୍ୱାନ ଦେଇଛନ୍ତି । କହିବାକୁ ଗଲେ ଦଳୀୟ କନ୍ଦଳକୁ ସେ ଖୁଲ୍ଲମଖୁଲା ସାମ୍ନାକୁ ଆଣିଛନ୍ତି । ବିଜେପି ନେତାମାନେ ଦଳୀୟ ଅସହଯୋଗକୁ ଅସ୍ୱୀକାର କରି ବାପି ବିଜେପି କର୍ମୀ ନୁହନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ।

ଲଢ଼େଇ ପୂର୍ବରୁ ବିରୋଧୀ କଂଗ୍ରେସ ଓ ବିଜେପି ଏକପ୍ରକାର ମୈଦାନ ଛାଡିଦେଇଥିବା ବେଳେ ଆଭ୍ୟନ୍ତରୀଣ କନ୍ଦଳକୁ ତୁଟାଇ ବିଜେଡି ଅଧିକ ଶକ୍ତିଶାଳୀ ହୋଇଛି । ନିର୍ବାଚନ ପୂର୍ବରୁ ଆଶାୟୀଙ୍କୁ ନେଇ ସୃଷ୍ଟି ହୋଇଥିବା ସବୁ ଅସନ୍ତୋଷର ସମାଧାନ କରାଯାଇଛି । ବିଦ୍ରୋହୀ କୁହାଯାଉଥିବା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯୋଗ ଦେଲେଣି । ଯେଉଁଥିପାଇଁ ପଞ୍ଚାୟତ ପରି ପୌରରେ ବି କ୍ଲିନ ସୁଇପ କରିବ ବୋଲି ଦଳ ଦାବି କରୁଛି । ବିଜେଡିରେ ବିଦ୍ରୋହକୁ ଅପେକ୍ଷା କରି ନିର୍ବାଚନ ଲଢିବାକୁ ସ୍ଥିର କରିଥିଲେ ବିରୋଧୀ । ହେଲେ ସେପଟେ ନିଜ ଘର ଭୁଷୁଡ଼ି ଗଲାଣି ତାହା ବୁଝିବାକୁ ନାରାଜ । ପଞ୍ଚାୟତ ପରି ପୌର ନିର୍ବାଚନରେ ବି ବିରୋଧୀ ବହୁ ପଛରେ ରହିଯିବେ ବୋଲି ଚର୍ଚ୍ଚା ହେଉଛି ।