ବଲାଙ୍ଗୀର ବିଜେପି ସାଂସଦ ପ୍ରାର୍ଥୀଙ୍କୁ ନେଇ ନିଜ କ୍ଷୋଭ ବଖାଣିଲେ ରାଜ୍ୟ ସଭାପତି

ବଲାଙ୍ଗୀର: ବଲାଙ୍ଗୀରର ଅମାନିଆ ରାଣୀ ତଥା ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା ସିଂଦେଓଙ୍କ ଜାତକ ଖୋଲିଦେଲେ ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ । ସଂଗୀତାଙ୍କ ବିରୋଧରେ ଅସହାୟ ଅବସ୍ଥାରେ ମନମୋହନ ବିଷ ଓଗାଳୁଥିବାର ଏକ ଭିଡିଓ ଭାଇରାଲ ହେଉଛି ।

ଜଣେ ବ୍ଯକ୍ତିଙ୍କ ସହ ଆଲୋଚନା ସମୟରେ ସଂଗୀତାଙ୍କୁ ସ୍ବାର୍ଥୀ ଏବଂ ଅମାନିଆ ବୋଲି କହି ମନମୋହନ ଭର୍ତ୍ସନା କରୁଛନ୍ତି । ଏକଦମ ଅସହାୟ ଅବସ୍ଥାରେ ମନମୋହନ କହିଛନ୍ତି, ବଲାଙ୍ଗୀରରେ ବିଜେପି ହାରିବାର କାରଣ କେବଳ ସଂଗୀତା ସିଂହଦେଓ । ସେ କାହାରି କଥା ବି ଶୁଣନ୍ତି ନାହିଁ । ଏପରିକି ନିଜ ସ୍ବାମୀ କେଭି ସିଂହଦେଓଙ୍କୁ ବି ମାନନ୍ତି ନାହିଁ । ସବୁବେଳେ ହାରିବା ସମ୍ଭାବନାଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ସୁପାରିସ କରନ୍ତି । ଗତ ସାଧାରଣ ନିର୍ବାଚନରେ ଯେଉଁଭଳି ହାରିବା ପ୍ରାର୍ଥୀଙ୍କୁ ଚୟନ କରିଥିଲେ ଏଥର ବି ସମାନ ଭୁଲ୍ କରିଛନ୍ତି । ଏକଥା ତାଙ୍କୁ କହିଲେ ବି ସେ ଶୁଣନ୍ତି ନାହିଁ ।

କୌଣସି କାମରେ ଲୋକଙ୍କୁ ପଚାରନ୍ତିନାହିଁ କିମ୍ବା ଭଲ ବ୍ଯବହାର ବି କରନ୍ତିନାହିଁ । ଲକ୍ଷେ ଲୋକଙ୍କୁ ନେଇ କାମ କରିହେବ କିନ୍ତୁ ସଂଗୀତାଙ୍କ ଭଳି ରାଣୀଙ୍କୁ ନେଇ କାମ କରିହେବନି ବୋଲି ମନମୋହନ କହିଛନ୍ତି । କେବଳ ଝିଅ ନିବୃତ୍ତିଙ୍କ ପାଇଁ ହିଁ ସଂଗୀତା ଲଗାମଧରି ଅଛନ୍ତି । ଜଣେ ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ରାଜ୍ଯସଭାପତିଙ୍କ ଏଭଳି ବୟାନକୁ ଦଳର ଭିତରେ ଯେ କିଛି ଭଲ ନାହିଁ ତାହା ପ୍ରମାଣିତ କରିଛି।

ଭିଡିଓରେ ମନମୋହନଙ୍କ ସ୍ବର ଅତି ଅସହାୟ ଭଳି ମନେହେଉଛି । ଗଣତନ୍ତ୍ରରେ ଲୋକ ପ୍ରତିନିଧି ହୋଇ ସଂଗୀତା କିଭଳି ରାଣୀ ଠାଣି ଦେଖାଉଛନ୍ତି ତାହାର ପ୍ରମାଣ ହେଉଛି ମନମୋହନଙ୍କ ବୟାନ । ବଲାଙ୍ଗୀରରେ ସଂଗୀତା କିଭଳି ଏକଛତ୍ରବାଦ ଶାସନ ଚଳାଇଛନ୍ତି ତାହାର ଉଦାହରଣ ହେଉଛି ମନମୋହନଙ୍କ ଏହି ଭାଇରାଲ ଭିଡିଓ । ପ୍ରଶ୍ନ ଉଠୁଛି, କାହିଁକି ସାଂସଦ ପ୍ରାର୍ଥୀଙ୍କୁ ଡରିଲା ଭଳି ରହିଛନ୍ତି ରାଜ୍ଯ ସଭାପତି ମନମୋହନ ସାମଲ ? ସଂଗୀତା ରାଜ୍ଯ ନେତୃତ୍ବଙ୍କୁ ଗୁରୁତ୍ବ ଦେଉନାହାଁନ୍ତି କି ? ସବୁଜାଣି ବି ଏଭଳି ଜଣେ ଅହଂକାରୀ ନେତ୍ରୀଙ୍କୁ କାହିଁକି ଟିକେଟ ଦେଉଛି ଭାରତୀୟ ଜନତା ପାର୍ଟି । ଆଜି ବଲାଙ୍ଗୀରରେ ଭୋଟ ଚାଲିଥିବାବେଳେ ଏହି ସମୟରେ ଭିଡିଓ ଭାଇରାଲ ହେଉଛି ।

ତେବେ ମନମୋହନଙ୍କ ପାଖରେ ଛିଡ଼ା ହୋଇ ଭିଡିଓଟି ସୁଟ୍ କରିଥିବା ଲୋକଟି ନିଶ୍ଚୟ ଭାବେ ବିଜେପିର ନେତା କିମ୍ବା କର୍ମୀ ହୋଇଥିବେ ଏବଂ ଜାଣିଶୁଣି ସଂଗୀତାଙ୍କୁ ସତକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏହା ତାଙ୍କ ଉଦ୍ଯମ ବୋଲି ଅନୁମାନ କରାଯାଉଛି । ତେବେ ଏହା କେବେକାର ଭିଡିଓ ତାହା ସ୍ପଷ୍ଟ ହୋଇନାହିଁ ।