୯ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଆସିଛି ବିଜେପି: ବିଜେଡି ମୁଖପାତ୍ର
1 min read
ଭୁବନେଶ୍ୱର: ୫୫ ନମ୍ବର ଜାତୀୟ ରାଜପଥର ଦୂରବସ୍ଥା ନେଇ ବିଜେପିକୁ ଟାର୍ଗେଟ୍ କଲା ବିଜେଡି। କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ସବୁଠି ବିଜେପି ନେତା ନିଜ ପ୍ରଚାର କରୁଛନ୍ତି। କିନ୍ତୁ ଓଡ଼ିଶା ପାଇଁ କେନ୍ଦ୍ରର ବିଜେପି ସରକାର କ’ଣ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଓଡ଼ିଶାର ବିଜେପି ସାଂସଦମାନେ ମାଟିକୁ ଅବହେଳା କରୁଛନ୍ତି। ମାଟିକୁ ବଡ଼ ଭାବନ୍ତୁ, ପାର୍ଟିକୁ ନୁହେଁ ବୋଲି ବିଜେଡି ଆହ୍ୱାନ ଦେଇଛି । ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏବଂ ରାଜ୍ୟ ବିଜେପି ସାଂସଦଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।
ଓଡ଼ିଶା ପ୍ରତି ପ୍ରତାରଣା କରୁଛନ୍ତି କେନ୍ଦ୍ରର ବିଜେପି ସରକାର। ଏହାର ଏକ ବଡ଼ ଉଦାହରଣ ହେଉଛି ୫୫ ନମ୍ବର ଜାତୀୟ ରାଜପଥ। ଦେଶର ସବୁଠାରୁ ବଡ଼ ବିପଦସଙ୍କୁଳ ରାସ୍ତା ପାଲଟିଛି ଏହି ଜାତୀୟ ରାଜପଥ। ୩ ବର୍ଷ ମଧ୍ୟରେ ଏହି ରାସ୍ତା କାମ ସରିବା କଥା। ୬ବର୍ଷ ବିତି ଯାଇଥିଲେ ବି କାମ ସମ୍ପୂର୍ଣ୍ଣ ହୋଇନାହିଁ । ୫୫ ନମ୍ବର ଜାତୀୟ ରାଜପଥ କଟକ-ସମ୍ୱଲପୁରକୁ ସଂଯୋଗ କରୁଛି, ଯାହାର ମରାମତି ୨୦୧୭ରେ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କାମ ସରିନାହିଁ ।
ଜଣେ ପରେ ଜଣେ ଠିକାଦାର କାମ ଛାଡୁଛନ୍ତି । ୬ ବର୍ଷ ଭିତରେ ୧୩ ଶହ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ୬ ଶହ ଲୋକଙ୍କ ଜୀବନ ଯାଇଛି। ଏହି ଜାତୀୟ ରାଜପଥ ବିଷୟରେ ବିଜେପିର କୌଣସି ନେତା ମୁହଁ ଖୋଲୁନାହାନ୍ତି। ପଶ୍ଚିମ ଓଡ଼ିଶାରୁ ୫ଜଣ ସାଂସଦ ହୋଇଥିଲେ ବି ଏହି ବିଷୟରେ ସମସ୍ତେ ଚୁପ। ବିଜେପି ନେତା ହେଉଛନ୍ତି ଓଡ଼ିଶା ବିରୋଧୀ, ସେମାନଙ୍କୁ ଓଡ଼ିଶାବାସୀ ଠିକ ଭାବେ ଚିହ୍ନି ସାରିଛନ୍ତି। ଓଡ଼ିଶା ଲୋକ ସେମାନଙ୍କୁ ଠିକ୍ ଜବାବ ଦେବେ।
ବିଜେପି ନେତାଙ୍କର ଓଡ଼ିଶା ପ୍ରତି କ’ଣ ଅବଦାନ ଅଛି? ଓଡ଼ିଶାରେ ବିଜେପି କ’ଣ କରିଛି? ଯଦି କିଛି କରିଛି, ତାହା ଓଡିଶାବାସୀଙ୍କୁ କେବଳ ପ୍ରତାରଣା । ଓଡ଼ିଶାବାସୀଙ୍କୁ ଅବହେଳା କରିଛନ୍ତି । ବିଜେପି ସାଂସଦମାନେ ଓଡିଶାର ସ୍ବାର୍ଥ ବିରୋଧରେ କାମ କରୁଛନ୍ତି। ଏହି ପ୍ରସଙ୍ଗ କେବେବି ଓଡିଶାର ବିଜେପି ସାଂସଦ ପାର୍ଲାମେଣ୍ଟରରେ ଉଠାଇ ନାହାନ୍ତି। ସେହିପରି ଦେବଗଡ଼ରେ ବଡ଼ ଫୁଡ୍ ପ୍ରସେସିଂ କ୍ଳଷ୍ଟର ହେବା କଥା। ବିଜେପି ନେତାମାନେ ୨୦୧୯ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାରେ ମଧ୍ୟ ଅହେତୁକ ବିଳମ୍ବ ଓ ଅବହେଳା କରାଯାଉଛି। ସେ ସବୁ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି।