ବିଜେଡି ସମାବେଶ ଦେଖି ବିଜେପି ଛାନିଆ

ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ପ୍ରତି ଜନଶକ୍ତି ଓ ଜନମତ ପ୍ରତିଫଳିତ ହୋଇଛି । ନବୀନ ପଟ୍ଟନାୟକ ପ୍ରତି ଓଡ଼ିଶାବାସୀଙ୍କ କ୍ରେଜ ଅତୁଟ ରହିବା ସହ ବିଜେଡିକୁ ଶକ୍ତିଶାଳୀ କରିଛି । ୭ ମାସ ଭିତରେ ବିଜେପି ସରକାରଙ୍କ ପ୍ରତି ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି । ଶାସନ ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସରକାରରେ ନାହିଁ ସମନ୍ବୟ । ଏଭଳି କହି ବିଜେପିକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ସେହିପରି ଓଡ଼ିଶାରେ ବିକାଶ ସଂପୂର୍ଣ୍ଣ ଠପ ହୋଇଛି ବୋଲି କହିଛି କଂଗ୍ରେସ । ତେବେ ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ଏବେ ବିଜେପି ମନରେ ଛନକା ପୂରାଇଛି ।

ଓଡ଼ିଶାରେ ଭୁଶୁଡ଼ି ପଡ଼ିଛି ଶାସନ ବ୍ୟବସ୍ଥା । ୭ ମାସରେ ଦିଗହରା ହେଲାଣି ସରକାର । କାହାର କାହା ମଧ୍ୟରେ ନାହିଁ ସମନ୍ନୟ । ସବୁ କ୍ଷେତ୍ରରେ ଅବ୍ୟବସ୍ଥା, ନିୟନ୍ତ୍ରଣ ବାହାରେ ଦରଦାମ୍, ଆତ୍ମହତ୍ୟା କରୁଛି ଚାଷୀ । ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ନେଇ କ୍ରୋଧରେ ଜର୍ଜରିତ ଜନତା । ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ସମାବେଶରେ ଏକାଠି ହୋଇ ସରକାର ବିରୋଧରେ ଦେଖିବାକୁ ମିଳିଛି ନାରାବାଜି । ରାଜଧାନୀରେ ଜନଶକ୍ତି ଓ ଜନମତର ହୋଇଛି ଶକ୍ତି ପ୍ରଦର୍ଶନ । ବିଜେପି ସରକାର ବିରୋଧରେ ଅସନ୍ତୋଷ ଜାହିର କରି ରାଜ୍ୟର ବିଭିନ୍ନ କୋଣରୁ ହଜାର ହଜାର ଜନତା ବିଜେଡି ପ୍ରତି ଦେଖାଇଛନ୍ତି ଅକୁଣ୍ଠ ସମର୍ଥନ ।

ଖାଲି ସେତିକି ନୁହେଁ, ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଲୋକପ୍ରିୟ ନେତା ଥିଲେ ଓ ରହିବେ ବୋଲି ପ୍ରମାଣିତ କରିଛି ଏହି ସମାବେଶ । ତେଣୁ ସରକାର ବେଳ ଥାଉ ଥାଉ ସୁଧୁରିଯିବା ସହ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପାଳନ କରନ୍ତୁ । ଏହାସହ ଦରଦାମ ନିୟନ୍ତ୍ରଣକୁ ଆଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ।

ସେପଟେ ବିଜେଡିର ଶକ୍ତି ପ୍ରଦର୍ଶନକୁ ନେଇ ଉତ୍ସାହିତ ଅଛନ୍ତି ଦଳୀୟ ନେତା ଓ କର୍ମୀ । ବିଧାୟକ ସାରଦା ନାୟକ କହିଛନ୍ତି, ଦରଦାମ ବୃଦ୍ଧି ଯୋଗୁଁ କଂଗ୍ରେସ କ୍ଷମତାରୁ ହଟିଥିଲା । ଏବେ ସମାନ ସ୍ଥିତି ଭୋଗିବ ବିଜେପି । ଯାହା ସଙ୍କେତ ଦେଇ ସାରିଛନ୍ତି ଓଡ଼ିଶାବାସୀ । ସେହିପରି ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ କହିବା କଥା, ରାଜ୍ୟରେ ଶାସନ ବ୍ୟବସ୍ଥା ବୋଲି କିଛି ନାହିଁ । ଗାଁ ଓ ପଞ୍ଚାୟତରେ ୭ ମାସ ହେବ ବିକାଶ କାମ ସଂପୂର୍ଣ୍ଣ ଠପ । ଅନ୍ୟପଟେ ବିଜେଡି ସମାବେଶରେ ଜନସମୁଦ୍ର ଦେଖି ଛାନିଆ ହୋଇଛି ବିଜେପି । ହେଲେ ଦଳୀୟ ନେତା ଏହାକୁ ମାନିବାକୁ ନାରାଜ । ସେପଟେ କିନ୍ତୁ ରାଜନୈତିକ ସମୀକ୍ଷକ କହିଛନ୍ତି, ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଶାସକ ଦଳ ଉପରେ ଚାପ ପକାଇଛି ।

ଚାଷୀ ସମସ୍ୟାର ସମାଧାନଠାରୁ ଆରମ୍ଭ କରି ଦରଦାମ ନିୟନ୍ତ୍ରଣ, ସବୁଥିରେ ଫେଲ ମାରିଛି ବିଜେପି ସରକାର । ଯାହା ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଜେପି ସରକାର ବିଫଳ ହେବାରୁ ତୃଣମୂଳ ସ୍ତରରେ ଦାନା ବାନ୍ଧିଲାଣି ଅସନ୍ତୋଷ । ତେଣୁ ସରକାରକୁ ଆଟାକ କରିବାକୁ ବିରୋଧୀଙ୍କୁ ମିଳିଛି ମାଇଲେଜ୍ ।