ରାଜ୍ୟପାଳଙ୍କୁ ଅଲଗା ଅଲଗା ଭେଟିଲେ ବିଜେପି ଓ ଶିବସେନା ନେତା

1 min read

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶକୁ ୪ ଦିନ ବିତି ସାରିଲାଣି । ମାତ୍ର ସରକାର କିଏ ଗଢିବ ସେ ନେଇ କିଛି ସ୍ପଷ୍ଟତା ମିଳିପାରୁନାହିଁ । ବିଜେପି ଓ ଶିବସେନା ମଧ୍ୟରେ ସହମତି ପ୍ରକାଶ ପାଉନଥିବା ବେଳେ ଆଜି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଉଭୟ ଦଳର ନେତା ଅଲଗା ଅଲଗା ସାକ୍ଷାତ କରିଛନ୍ତି । ଶିବସେନା ନେତା ଦିଓ୍ୱାକର ରାଓ୍ୱତ ପ୍ରଥମେ ରାଜଭବନ ଯାଇ ରାଜ୍ୟପାଳ ଭଗତ ସିଂହ କୋଶଓ୍ୱାରୀଙ୍କୁ ସାକ୍ଷାତ କରିବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ବହୁମତ ନଥିଲେ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିପାରିବେ ନାହିଁ ଏଭଳି ସ୍ଥିତିରେ ବିଜେପି ସର୍ବବୃହତ୍ ଦଳ ହୋଇ ମଧ୍ୟ ଏଯାଏଁ ମେଣ୍ଟ ସହଯୋଗୀଙ୍କୁ ରାଜି କରିପାରୁନାହିଁ । ଶିବସେନା ୫୦-୫୦ ଫର୍ମୁଲାକୁ ନେଇ ନିଜ ଜିଦରେ ଅଟଳ ରହିଛି । ଅର୍ଥାତ୍ ଶିବସେନା ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଚାହୁଁଥିବା ବେଳେ ବିଜେପି ଅଢେଇ ବର୍ଷ କ୍ଷମତାରେ ରହିବ । କିନ୍ତୁ ଏହାକୁ ନେଇ ଦିଲ୍ଲୀ ନେତୃତ୍ୱ ରାଜି ହେଉନାହାନ୍ତି । ଯାହାଫଳରେ ୪ ଦିନ ହେଲାଣି କିନ୍ତୁ ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରୁନାହଁ । ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆଜି ଏକ ବୈଠକ ହେବାର ଅଛି । ସେପଟେ ଅମିତ ଶାହାଙ୍କୁ ସାକ୍ଷାତ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ । ଆଜି ରାତି ସୁଦ୍ଧା ଏ ଦିଗରେ କିଛି ନା କିଛି ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ୨୮୮ ଆସନ ବିଶିଷ୍ଟ ବିଧାନସଭାରୁ ବିଜେପି ୧୦୫ ଆସନରେ ବିଜୟୀ ହୋଇଥିବା ବେଳେ ଶିବସେନାକୁ ମିଳିଛି ୫୬ ଆସନ । ')}

Leave a Reply