ବିଜେପି ନେତାଙ୍କ ଦାବି, ଫୋନ୍ କରି ନନ୍ଦିଗ୍ରାମରେ ସାହାଯ୍ୟ ମାଗୁଛନ୍ତି ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଉତ୍ସାହର ସହ ପଶ୍ଚିମବଙ୍ଗର ଭୋଟର ମତଦାନ କରୁଛନ୍ତି । ଆଉ ଏହାରି ଭିତରେ ନନ୍ଦିଗ୍ରାମର ବିଜେପି ନେତା ପ୍ରଳୟ ପାଲ ଏକ ବଡ଼ ଦାବି କରିଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ନିଜେ ଫୋନ୍ କରି ଟିଏମସିକୁ ଜିତାଇବା ଲାଗି ସାହାଯ୍ୟ ମାଗୁଥିବା ବିଜେପି ନେତା ପ୍ରଳୟ ଅଭିଯୋଗ କରିଛନ୍ତି ।
ବିଜେପି ପକ୍ଷରୁ ଏନେଇ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ପ୍ରଳୟଙ୍କ ଦାବି ଅନୁସାରେ, ଶନିବାର ସକାଳେ ମମତା ବାନାର୍ଜୀ ଫୋନ୍ କରି ନନ୍ଦିଗ୍ରାମରେ ଟିଏମସକୁ ସାହାଯ୍ୟ କରିବାକୁ କହିଥିଲେ । ତେବେ, ଟିଏମସି ଅଭିଯୋଗକୁ ଅସ୍ୱୀକାର କରିବା ଅଡିଓରେ ଶୁଣା ଯାଉଥିବା ସ୍ୱର ଭେରିଫାଏଡ୍ ନୁହେଁ ବୋଲି କହିଛି । ତେବେ, ବିଜେପି ପକ୍ଷରୁ ଜାରି ଏହି ଅଡିଓ ଓ ଭିଡିଓରେ କୌଣସି ସତ୍ୟତା ନନ୍ଦିଘୋଷ ଟିଭି ଦାବି କରୁନାହିଁ ।
ପ୍ରଳୟଙ୍କ ଅନୁସାରେ, ମମତା ଚାହୁଁଛନ୍ତି ମୁଁ ତାଙ୍କ ପାଇଁ କାମ କରେ ଏବଂ ଟିଏମସିକୁ ପୁଣି ଫେରି ଆସେ । କିନ୍ତୁ ମୁଁ ଦୀର୍ଘ ଦିନ ଧରି ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ପରିବାର ସହ ଜଡ଼ିତ । ମୁଁ ଏବେ ବିଜେପି ପାଇଁ କାମ କରୁଛି । ବାମଦଳର ମାକପାଙ୍କ ଶାସନ ବେଳେ ଅଧିକାରୀ ପରିବାର ନନ୍ଦିଗ୍ରାମରେ ଜନତାଙ୍କ ସହ ଛିଡ଼ା ହୋଇଥିଲା । ମୁଁ କେବେ ଅଧିକାରୀ ପରିବାର ବିରୋଧରେ ଯାଇନାହିଁ କି ଏଥିପାଇଁ ସାହାସ କରିବି ନାହିଁ ବୋଲି ସେ କହିଛନ୍ତି ।
ନନ୍ଦିଗ୍ରାମରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଲଢ଼ୁଥିବା ବେଳେ ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ଉକ୍ତ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ହାଇପ୍ରୋଫାଇଲ୍ ଆସନ ନନ୍ଦିଗ୍ରାମକୁ ନେଇ ବିଜେପିର ଏଭଳି ଅଡିଓ ପଶ୍ଚିମବଙ୍ଗର ଉଷ୍ଣ ରାଜନୀତିକୁ ଆହୁରି ତତେଇ ଦେଇଛି । ତେବେ, ଏହି ଅଡିଓର ସତ୍ୟତା ନେଇ ନନ୍ଦିଘୋଷ ଟିଭି କୌଣସି ଦାବି କରୁନାହିଁ । ଏହି ଅଡିଓ ବିଜେପି ପକ୍ଷରୁ ଜାରି କରାଯାଇଛି ।