ବିଜେପିରୁ କିଏ ଯିବ ରାଜ୍ୟସଭା ? ଛିଡୁନି ଅଙ୍କ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା ଲାଗି ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେପିରୁ କିଏ ଯିବ ରାଜ୍ୟସଭା ସେ ଅଙ୍କ କିନ୍ତୁ ଛିଣ୍ଡୁନାହିଁ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସମୀର ମହାନ୍ତି, ମମତା ମହନ୍ତ ରାଜ୍ୟସଭାକୁ  ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ମଧ୍ଯ ଆସିଛି ।  ତେବେ କିଏ ଯିବ ରାଜ୍ଯ ସଭା ସେ ନେଇ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ନିଷ୍ପତି ନେବ ବୋଲି ବିଜେପି ଯୁକ୍ତି ବାଢିଛି । ଅନ୍ୟପଟେ ନୀଳଗିରିର କମଲେଶ ମହାପ୍ରଭୁ ବିଜେପି ସମର୍ଥନରେ ରାଜ୍ୟସଭା ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯାହା ରାଜ୍ୟସଭା ରେସ ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି ।

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ଲାଗି  ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ୨୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ସରିବା ସହ ୨୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଧାର୍ଯ୍ୟ କରାଯାଇଛି । ରାଜ୍ୟସଭା ନିର୍ବାଚନ ଲଢ଼ିବାପାଇଁ ଆଜି ପ୍ରଥମ ଦିନରେ ନୀଳଗିରି ପଞ୍ଚଲିଙ୍ଗେଶ୍ଵରର ବାବା କମଲେଶ ମହାପ୍ରଭୁ ଗୋଟାଏ ସେଟ୍ ଫର୍ମ କିଣିଛନ୍ତି । ସେ ବିଜେପି ସମର୍ଥନରେ ରାଜ୍ୟସଭାକୁ ଯିବା ପାଇଁ ଦଳସହ ଯୋଗାଯୋଗରେ ଥିବା କହିଛନ୍ତି । ଦଳ ସମର୍ଥନ ନକଲେ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟସଭା ପାଇଁ ସମର୍ଥନ ମାଗିବେ ବୋଲି କହିଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ତେବେ ୩ ତାରିଖରେ ଉପନିର୍ବାଚନ ହେବ । ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି ବୋଲି  ସହକାରୀ ରିଟର୍ଣ୍ଣିଂ ଅଧିକାରୀ କହିଛନ୍ତି ।

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ରହିଛି । ଦେଶର ୯ଟି ରାଜ୍ୟର ୧୨ ଟି ଆସନ ପାଇଁ ନିର୍ବାଚନ ହେବ । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାରେ ଖାଲି ଥିବା ଆସନଟି ବିଜେପି ଖାତାକୁ ଯିବ। ଏବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେପିରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟସଭା ରେସରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ବିଶ୍ବେଶ୍ବର ଟୁଡ଼ୁ, ସମୀର ଦେ, ଦିଲ୍ଲୀପ ରାୟଙ୍କ ନାଁ ଚର୍ଚ୍ଚାକୁ ଆସିଛି । ତେବେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି । ଅନ୍ୟପଟେ ବିଜେପି କାହାକୁ ରାଜ୍ୟସଭା ପଠାଇବ ସେ  ନେଇ ଦ୍ବନ୍ଦ୍ବରେ ରହିଥିବା ରାଜନୈତିକ ସମୀକ୍ଷକ କହିଛନ୍ତି । ମମତା ମହନ୍ତଙ୍କୁ ବିଜେପି ରାଜ୍ୟସଭା ପଠାଇ ମୟୂରଭଞ୍ଜରେ ସଂଗଠନକୁ ଅଧିକ ମଜଭୁତ କରିବାକୁ ରଣନୀତି କରିଥିବା ସମୀକ୍ଷକ କହିଛନ୍ତି ।