ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା

ଭୁବନେଶ୍ୱର : ବିଧାନସଭାରେ ସରକାରଙ୍କୁ ଘେରିଲେ ବିଜେପି ବିଧାୟକ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ସିମୁଳିଆ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ସିମୁଳିଆରେ ଦମକଳ କେନ୍ଦ୍ର ସମ୍ପର୍କରେ ବିଧାୟକ ଗୃହରେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପକ୍ଷରୁ ଉତ୍ତର ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଥିଲେ ପ୍ରତି ୩୦ କିଲୋମିଟରରେ ଦମକଳ କେନ୍ଦ୍ର ଖୋଲାଯାଏ । ରାଜ୍ଯର ୩୧୪ ବ୍ଲକରେ ଦମକଳ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ବିଧାୟକ ପଦ୍ମଲୋଚନ ପଣ୍ଡା ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବାସହ ସଠିକ ଉତ୍ତର ରଖିବାକୁ ଦାବି ଜଣାଇଥିଲେ । ସିମୁଳିଆ ନା ସୋର, କେଉଁଠି ଦମକଳ କେନ୍ଦ୍ର ରହିଛି ଠିକ ଭାବେ ଜଣାଇବାକୁ ଦାବି କରିଥିଲେ । ସିମୁଳିଆ ବ୍ଲକରେ ଦମକଳ କେନ୍ଦ୍ର ନଥିବା ବେଳେ ମନ୍ତ୍ରୀ କେମିତି କହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଖଇରା ବ୍ଲକରେ ଦମକଳ କେନ୍ଦ୍ର ଅଛି, ହେଲେ ସିମୁଳିଆରେ ନାହିଁ । ସନ୍ତୋଷଜନକ ଉତ୍ତର ନମିଳିବାରୁ ଗୃହରେ ଉଦବେଗ ପ୍ରକାଶ କଲେ ବିଜେପି ବିଧାୟକ । ମନ୍ତ୍ରୀ ବିଭାଗର ଅଧିକାରୀଙ୍କୁ ପଠାଇ କେଉଁ ଜାଗାରେ ଦମକମ କେନ୍ଦ୍ର ଅଛି ତାହା ଅନୁଧ୍ଯାନ କରିବାକୁ ବିଧାୟକ ମତାମତ ଦେଇଛନ୍ତି ।