ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ଅଧ୍ୟକ୍ଷ ରହିବେ ଜେପି ନଡ୍ଡା

ନୂଆଦିଲ୍ଲୀ: ବଢ଼ିଲା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ଜେପି ନଡ୍ଡାଙ୍କ ପାଇଁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଆଜି ଏହି ପ୍ରସ୍ତାବ ପାରିତ କରିଛି । ରାଜନାଥ ସିଂ ଏହି ପ୍ରସ୍ତାବ ରଖିଥିଲେ । ବିଜେପିର ସମସ୍ତ ସଦସ୍ୟମାନେ ଏହାକୁ ସ୍ୱୀକାର କରିଛନ୍ତି । ଜେପି ନଡ୍ଡାଙ୍କୁ ଜୁନ ୨୦୨୪ ପର୍ଯ୍ୟନ୍ତ ବିଜେପିର ଅଧ୍ୟକ୍ଷ ଭାବରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଅମିତ ଶାହ କହିଛନ୍ତି ମୋତେ ଆଶା ଓ ବିଶ୍ୱାସ ରହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ରେ ଆହୁରି ଅଧିକ ବହୁମତରେ ବିଜୟ ହାସଲ କରିବ ।

ସେ କହିଛନ୍ତି ପୁଣି ଗୋଟେଥର ନରେନ୍ଦ୍ର ମୋଦି ଦେଶର ନେତୃତ୍ୱ ପ୍ରଧାନମନ୍ତ୍ରୀ ରୂପରେ କରିବେ । ଜେପି ନଡ୍ଡାଙ୍କ ତିନି ବର୍ଷିୟା କାର୍ଯ୍ୟକାଳ ଚଳିତ ବର୍ଷ ୨୦ ଜାନୁଆରୀରେ ଶେଷ ହେଉଥିଲା । ଏହା ପୂର୍ବରୁ ସେ ଜୁଲାଇ ୨୦୧୯ରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ । ଏହାପରେ ୨୦ ଜାନୁଆରୀ ୨୦୨୦ରେ ସେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବରେ ଦଳର କମାନ ସମ୍ଭାଳିଥିଲେ । ବିଜେପିର ସମ୍ବିଧାନ ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଲଗାତାର ତିନି ବର୍ଷ ପାଇଁ ଦୁଇଟି କାର୍ଯ୍ୟକାଳ ଦେବାର ପ୍ରାବଧାନ ରହିଛି ।