ଜନସ୍ୱାର୍ଥ ଓ ପ୍ରସଙ୍ଗ ଭୁଲି କେବଳ ରାଜନୀତି କରିବାରେ ଲାଗିଛନ୍ତି ବିରୋଧୀ

ଭୁବନେଶ୍ୱର: ବିଜେପିର ଦୋମୁହାଁ ନୀତି। ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ଆଚରଣକୁ ସାଧାରଣ ଲୋକ ଦୁର୍ଭାଗ୍ୟଜନକ ବୋଲି କହିଲେଣି। ଲୋକଙ୍କ ପ୍ରସଙ୍ଗ, ସ୍ୱାର୍ଥକଥା ଭୁଲି କେବଳ ରାଜନୀତି କରିବାରେ ଲାଗିଛନ୍ତି ବିରୋଧୀ। ବିଶେଷକରି ବିଜେପିର ଦୋମୁହାଁ ନୀତିକୁ ସାଧାରଣରେ ନାପସନ୍ଦ କରାଯାଉଛି। ଗତ ପାର୍ଲାମେଣ୍ଟ ଅଧିବେଶନ ବେଳେ ବିରୋଧୀ ଅଚଳାବସ୍ଥା ସୃଷ୍ଟି କରିବାରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କାନ୍ଦି ପକାଇଥିଲେ।

ଭେଙ୍କେୟା ନାଇଡୁ କହିଥିଲେ ଯେ, ସଦନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ କୌଣସି ବିଶୃଙ୍ଖଳା ହେବା ଉଚିତ ନୁହେଁ। ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଅନୁରୂପ ଭାବେ ଉଦବେଗ ପ୍ରକାଶ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଥିଲେ, ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ ଓ ଗୃହକୁ ଚଳାଇନଦେବା ପବିତ୍ର ଗଣତନ୍ତ୍ରର ପରିପନ୍ଥୀ। ଗଣତନ୍ତ୍ର ମନ୍ଦିର ପ୍ରତି ଏହା କୁଠାରାଘାତ। ନାଇଡୁ କହିଥିଲେ ଯେ, ବିରୋଧୀଙ୍କ ଏଭଳି ଅସହଯୋଗକୁ ନିନ୍ଦା କରିବା ଲାଗି ତାଙ୍କ ନିକଟରେ ଭାଷା ନାହିଁ। ଏହି କାରଣରୁ ସେ ରାତି ସାରା ଶୋଇ ପାରୁନାହାନ୍ତି। ନାଇଡୁଙ୍କ କଣ୍ଠ ଘୃଣାରେ ଥରୁଥିଲା। ବିରୋଧୀଙ୍କ ଏଭଳି ଆଚରଣ ପଛର କାରଣ ସେ ଖୋଜି ପାଇନଥିବା ଦୁଃଖର ସହ କହିଥିଲେ।

ଲୋକସଭାର ମୌସୁମୀ ଅଧିବେଶ ବେଳେ ବିରୋଧୀ ସଦସ୍ୟଙ୍କ ଅସହଯୋଗ କାରଣରୁ ସବୁଠୁ କମ କାମ ହେବାନେଇ ବାଚସ୍ପତି ଓମ୍ ବିର୍ଲା ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଗୃହକୁ ସୁରୁଖୁରୁ ଚଳାଇବା ପାଇଁ ତାଙ୍କର ସମସ୍ତ ଉଦ୍ୟମ ସତ୍ତ୍ୱେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି।

ଓମ ବିର୍ଲା କହିଥିଲେ, ଯେ ଗୃହରେ ଲୋକଙ୍କ କଥା ଆଲୋଚନା ହୋଇନପାରିବାରୁ ସାଧାରଣ ଜନତା ଅତ୍ୟନ୍ତ ଦୁଃଖିତ ଓ କ୍ଷୁବ୍ଧ। ଲୋକଙ୍କର ଏହି ଉଦବେଗ ସହିତ ସେ ଏକମତ ବୋଲି ପ୍ରକାଶ କରିଥିଲେ। ଏଭଳି ପରିସ୍ଥିତିରେ ସଂସଦୀୟ ବିଧି ବ୍ୟବସ୍ଥା ସଂପର୍କିତ ନିୟମ କାନୁନର ପୁନଃ ସମୀକ୍ଷାପାଇଁ ଲୋକସଭା ବାଚସ୍ପତି ପ୍ରସ୍ତାବ ରଖିଥିଲେ। ଏ ସଂପର୍କରେ ଅଧିକାରୀମାନେ ଏକ କମିଟି ଗଠନ କରି ଆଲୋଚନା କରିବା ସହ ଚୂଡାନ୍ତ ରିପୋର୍ଟ ପ୍ରଦାନ କରନ୍ତୁ କୁହାଯାଇଥିଲା।

ପାର୍ଲାମେଣ୍ଟରେ ବିଭିନ୍ନ ବିରୋଧୀ ଦଳ ଅଚଳାବସ୍ଥା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ବେଳେ ବିଜେଡି ସାଂସଦମାନେ କିନ୍ତୁ, ଦାୟିତ୍ୱ ସମ୍ପନ୍ନ। ବିଜେଡି ସାଂସଦମାନେ ଶୃଙ୍ଖଳିତ। ଲୋକପ୍ରତିନିଧି ହିସାବରେ ପ୍ରତ୍ୟେକ ଆଲୋଚନାରେ ଅଂଶଗ୍ରହଣ କରି ମତ ରଖିଥିଲେ। ଗୋଟିଏ ପଟେ ବିଜେପିର କେନ୍ଦ୍ରୀୟ ନେତାମାନେ ବିଭିନ୍ନ ବିଧେୟକ ସଂପର୍କରେ ଆଲୋଚନା ଏବଂ ଶୃଙ୍ଖଳିତ ତର୍ଜମା ପାଇଁ ଆହ୍ୱାନ ଦେଉଥିବା ବେଳେ, ଅନ୍ୟପଟେ ରାଜ୍ୟ ବିଜେପି କିନ୍ତୁ ବିଧାନସଭାରେ ଓଲଟା ଆଚରଣ ଓ ଆଭିମୁଖ୍ୟ ଗ୍ରହଣ କରୁଛି। ଅନ୍ୟ ଅର୍ଥରେ କହିଲେ ସଂପୂର୍ଣ୍ଣ ଭାବେ ଏହା ବିଜେପିର ଦୋମୁହାଁ ନୀତି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନରେ ଲୋକଙ୍କ କଥାକୁ ଜଳାଞ୍ଜଳି ଦେଇ ବିଜେପି ଗୃହ ଚଳାଇନଦେବାକୁ ନିଷ୍ପତ୍ତି ନେଇସାରିଛି।

Leave a Reply