spot_img

Latest Posts

ଉପର ଚିକ୍କଣ, ଭିତର ଫମ୍ପା: ରାଜ୍ୟ ବିଜେପିରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ, ପଦ୍ମ ଦଳରେ ବଢ଼ୁଛି ଅଡ଼ୁଆ

ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ ପରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଛି। ହେଲେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସଭାପତି ପାଇଁ ଡ଼େଡ଼ଲାଇନ ସରିବା ପରେ ବି ଚୂଡ଼ାନ୍ତ ହୋଇପାରୁନି ତାଲିକା। ଜିଲ୍ଲାସ୍ତରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ତୁଟୁନଥିବାରୁ ଜିଲ୍ଲା ସଭାପତିଙ୍କ ନାମରେ ମୋହର ବାଜିପାରୁନି। ଜାନୁଆରୀ ୫ ସୁଦ୍ଧା ମଣ୍ଡଳ ସଭାପତି, ୧୦ ସୁଦ୍ଧା ଜିଲ୍ଲା ସଭାପତି ଏବଂ ୧୫ ସୁଦ୍ଧା ରାଜ୍ୟ ସଭାପତି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଫେଲ୍ ମାରିଛି ଡ଼େଡ଼ଲାଇନ୍। ସଭାପତି ପଦ ଲାଗି ବି ଜାରି ରହିଛି ସସପେନ୍ସ ।

କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତୀ ମୁଖିଆ? କିଏ ସମ୍ଭାଳିବେ ଜିଲ୍ଲା ଦାୟିତ୍ବ? ସରକାରୀ ଦଳ ହିସାବରେ ସାଙ୍ଗଠନିକ ମୁଖ୍ୟଙ୍କ ଗୁରୁତ୍ବ ବଢିଥିବାରୁ ପଦପଦବୀ ପାଇଁ ଚାଲିଛି ଅଙ୍କକଷା। ବ୍ଲକ, ଜିଲ୍ଲା ସ୍ତରରେ ବିବାଦ ତୁଟୁନଥିବାରୁ ଫେଲ୍ ମାରୁଛି ଡେଡଲାଇନ୍। ଚୁଡ଼ାନ୍ତ ହୋଇପାରୁନି ଜିଲ୍ଲା ସଭାପତିଙ୍କ ତାଲିକା। ତୃଣମୂଳ ସ୍ତରରେ ପୁରୁଣା ଓ ନୂଆ ବିଜେପି ମଧ୍ୟରେ ଚାଲିଛି ଟଣାଓଟରା। ପୁରୁଣା ବିଜେପିରୁ ମଣ୍ଡଳ ସଭାପତି କରିବାକୁ ଦଳ ମନସ୍ଥ କରିଥିବା ବେଳେ ବୟସ କଟକଣା ସାଜିଛି ବାଧକ। ବିଭିନ୍ନ କଟକଣା ଯୋଗୁଁ ମଣ୍ଡଳ ସଭାପତି ପାଇଁ ପ୍ରଥମ ପ୍ରସ୍ତାବ କାଟ ଖାଉଛି। ଜାନୁଆରୀ ୫ ତାରିଖ ସୁଦ୍ଧା ମଣ୍ଡଳ ସଭାପତି, ୧୦ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ଏବଂ ୧୫ ତାରିଖ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚିତ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ବି କନ୍ଦଳ ଯୋଗୁଁ ହୋଇପାରୁନି ନିଷ୍ପତ୍ତି। ମଣ୍ଡଳ ସଭାପତି କାମ ସରିଛି ଏବଂ ଜିଲ୍ଲା ସଭାପତି ପ୍ରକ୍ରିୟା ଚାଲିଛି ବୋଲି ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେ କହିଛନ୍ତି।

ନୂଆ ଓ ପୁରୁଣା ବିଜେପି ସହ ଦଳ ଭିତରେ ଥିବା ବିଭିନ୍ନ ଗୋଷ୍ଠୀ ଜିଲ୍ଲା ସଭାପତି ପଦ ନିଜ କବଜାରେ ରଖିବାକୁ ଚାହୁଁଛନ୍ତି। ରାଜ୍ୟ ବିଜେପିରେ ୩୬ଟି ସାଙ୍ଗଠନିକ ଜିଲ୍ଲା ଥିବା ବେଳେ ୧୦ରୁ ଅଧିକ ଜିଲ୍ଲାରେ ଅଡ଼ୁଆ ଛିଡ଼ୁନଥିବାରୁ ଚୁଡ଼ାନ୍ତ ତାଲିକା ବିଳମ୍ବିତ ହେଉଛି। ଜିଲ୍ଲା ସଭାପତି ପରେ ରାଜ୍ୟ ସଭାପତି ସ୍ଥିର କରାଯିବ। ବିଜେପି କ୍ଷମତାକୁ ଆସିଥିବାରୁ ଏବର ସଭାପତି ମନମୋହନ ସାମଲ ପୁଣି ଥରେ ରାଜ୍ୟ ସଭାପତି ଦାୟିତ୍ବ ସମ୍ଭାଳିବେ ନା ନୂଆ ମୁହଁ ସାମନାକୁ ଆସିବେ, ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ହେଲେ ବିଜେପିରେ ସଭାପତି ରେସରେ କେହି ନଥାନ୍ତି ବୋଲି ମନମୋହନ କହିଛନ୍ତି। ଏପରିକି ପରୋକ୍ଷରେ ଦଳର ସାଙ୍ଗଠନିକ ପ୍ରକ୍ରିୟା ବାବଦରେ ଗଣମାଧ୍ୟମ ମୁଣ୍ଡ ନ ଖେଳାଇବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସଭାପତି। ଭାରତୀୟ ଜନତା ପାର୍ଟିରେ ୬ବର୍ଷରେ ଥରେ ସଦସ୍ୟତା ଅଭିଯାନ ଚାଲୁଥିବା ବେଳେ ପ୍ରତି ୩ବର୍ଷରେ ଥରେ ବୁଥ ସ୍ତରରୁ ରାଷ୍ଟ୍ରୀୟ ସଭାପତି ପଦବୀ ଯାଏଁ ନିର୍ବାଚନ ହୋଇଥାଏ। ଓଡ଼ିଶାରେ ବିଜେପି କ୍ଷମତାରେ ଥିବାରୁ ସାଙ୍ଗଠନିକ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି।

Latest Posts

Don't Miss