ବିଜେପି ଲାଗି କଣ୍ଟା ହେଲାଣି ନିଗମ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ସରକାର ଗଠନର ୮ ମାସ ପରେ ବି ଛିଡୁନି ଅଙ୍କ

ନନ୍ଦିଘୋଷ ବ୍ୟୁରୋ: ବିବାଦୀୟ ସ୍ଥିତିରେ ବିଜେପିର ନିଗମ ବଣ୍ଟନ ପ୍ରକ୍ରିୟା । ଘୋଷଣା ପୂର୍ବରୁ ଆରମ୍ଭ ହେଲାଣି ବିବାଦ। ମୁହଁ ଖୋଲିଲେଣି ଦଳର ପ୍ରମୁଖ ଦାବିଦାର। ପଦ ତୁଳନାରେ ବଢ଼ି ଚାଲିଛି ଆଶାୟୀଙ୍କ ସଂଖ୍ୟା। ସରକାର ଗଠନର ୮ ମାସ ପରେ ବି ନିଗମ ବଣ୍ଟନ କରିପାରୁନି ବିଜେପି। ଯାହାକୁ ନେଇ ଏବେ ମୁହଁ ଖୋଲିଲେଣି ପୂର୍ବତନ ବିଧାୟକ ସୁବାସ ପାଣିଗ୍ରାହୀ। ତାଙ୍କ ଯୁକ୍ତି ହେଉଛି, ନିଗମ ଘୋଷଣା ହେବ ହେବ କହି ସମୟ ଗଡ଼ିଚାଲିଛି । ଆମେ ଦଳ ପାଇଁ କାମ କରିଛୁ, ତେଣୁ ନିଗମ ବଣ୍ଟନ ବେଳେ ଦଳର ବରିଷ୍ଠ ନେତାଙ୍କ ନେତୃତ୍ବ ରହିବ । ଅନ୍ୟପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଓଡିଶା ଗସ୍ତ ପରେ ବି ନିଗମ ଘୋଷଣା ହୋଇପାରୁ ନଥିବାରୁ ଉଠିଛି ପ୍ରଶ୍ନ।

ସେପଟେ ମନ୍ତ୍ରିମଣ୍ଡଳରେ ଖାଲି ପଡିଛି ୬ଟି ଆସନ। ଏହି ସ୍ଥାନ ମୁଖ୍ୟମନ୍ତ୍ରୀ ପୂରଣ କରିବେ କି ନାହିଁ ତାକୁ ନେଇ ମଧ୍ୟ ମୁହଁ ଖୋଲିଲେଣି ବିଜେପି ବିଧାୟକ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ନେତା କହୁଥିବା ବେଳେ, ଦାୟିତ୍ବ ନେବାକୁ ମଧ୍ୟ ପ୍ରସ୍ତୁତ ହେଲେଣି। ଏହାରି ଭିତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ପାଓ୍ବାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ରାଜ୍ୟ ଓ ଶୀର୍ଷ ନେତୃତ୍ବ ମଧ୍ୟରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଜେପି ବିଧାୟକ।

ନିଗମ ବଣ୍ଟନ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ନେଇ ଉଷ୍ମ ହେଲାଣି ବିଜେପି ଶିବିର। କାହାକୁ କେମିତି ଦଳ ଥଇଥାନ କରିବ, ତାକୁ ନେଇ ଚିନ୍ତାରେ ପଡ଼ିଲେଣି ରାଜ୍ୟ ଠାରୁ କେନ୍ଦ୍ର ନେତୃତ୍ବ ଯାଏ।