ପରାଜୟର କାରଣ ଖୋଜିବେ, କର୍ମୀଙ୍କ ସହ ଫେସ୍‌ ଟୁ ଫେସ୍‌ ଆଲୋଚନା କରିବେ

1 min read

ଭୁବନେଶ୍ୱର: ଆସନ୍ତା ଡିସେମ୍ବର କିମ୍ବା ଜାନୁଆରୀରେ ଓଡ଼ିଶା ଆସି ପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଡିସେମ୍ବରରେ ନଡ୍ଡା ସାରାଦେଶକୁ ୧୨୦ଦିନିଆ ମାରାଥନ ଗସ୍ତ କରିବେ । ଓଡ଼ିଶାରେ ଅମିତ ଶାହଙ୍କ ଅଧୁରା ମିଶନ-୧୨୦କୁ ତ୍ୱରାନ୍ୱିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ନଡ୍ଡାଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେଡି କହୁଥିବା ବେଳେ ମିଶନ- ୧୨୦ର ଅସ୍ତିତ୍ୱକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି ।

ସାରା ଭାରତ ବୁଲିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଦଳୀୟ କାର୍ଯ୍ୟକ୍ରମ ଭିତରେ ଫୋକସ୍‌ରେ ରହିବ ପଶ୍ଚିମବଙ୍ଗ ନିର୍ବାଚନ । ଏହାସହ ବିଭିନ୍ନ ରାଜ୍ୟରେ ପୌର, ପଞ୍ଚାୟତ ଓ ୨୦୨୪ ସାଧାରଣ ନିର୍ବାଚନ । ନଡ୍ଡାଙ୍କ ଓଡ଼ିଶା ଗସ୍ତ ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତ ହେଉଛି । ଡିସେମ୍ବର ଶେଷ ସପ୍ତାହ କିମ୍ବା ଜାନୁଆରୀ ମାସରେ ନଡ୍ଡା ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି । ଓଡ଼ିଶାରେ ଏପରି କିଛି ଦିଗ ନେଇ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା ହୋଇପାରେ ।

୧୨୦ ମିଶନ ଫେଲ୍ ମାରିବାର କାରଣ ? ଉପନିର୍ବାଚନ ହାରିବାର କାରଣ ? ବାଲେଶ୍ୱର ହାତରୁ ଖସିବାର ଖଳନାୟକ କିଏ ? ସାଧାରଣ ନିର୍ବାଚନ ତୁଳନାରେ ଉପନିର୍ବାଚନ ଭୋଟ୍‌ କମିବା ଆଦି ପ୍ରସଙ୍ଗରେ ନଡ୍ଡା ଚର୍ଚ୍ଚା କରିପାରନ୍ତି ।

୨୦୧୪ ଓ ୨୦୧୯ରେ ସାରା ଦେଶରେ ମୋଦି ଲହର ଥିଲା । ହେଲେ ଓଡ଼ିଶାରେ ତାହା କାମ କଲା ନାହିଁ । ନବୀନ ପଟ୍ଟନାୟକଙ୍କ କଲ୍ୟାଣକାରୀ ଯୋଜନା ଯୋଗୁ ବିଜେଡିର ଲୋକପ୍ରିୟତା ବଢ଼ିଛି । ତେଣୁ ନଡ୍ଡାଙ୍କ ଗସ୍ତ ପ୍ରଭାବହୀନ ହେବ ବୋଲି ବିଜେଡି ଯୁକ୍ତି ବାଢିଛି । ଅନ୍ୟପଟେ ୨୦୧୭ରେ ଓଡ଼ିଶା ଆସି ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଜେପିର ମିଶନ- ୧୨୦ ପ୍ଲସ୍‌ ନେଇ ଦମ୍ଭୋକ୍ତି କରିଥିଲେ । ଯାହାକୁ ନେଇ ନଡ୍ଡାଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।

JP Nadda

୨୦୧୯ ନିର୍ବାଚନରେ ତର୍ତ୍ତୋଲରେ ପରାଜିତ ହେବା ସତ୍ତ୍ୱେ ବିଜେପି ୫୩ ହଜାର ୫୮୧ ଭୋଟ୍‌ ପାଇଥିଲା । ୨୦୨୦ ଉପନିର୍ବାଚନରେ ଏହା ୪୬ ହଜାର ୬୯୭କୁ ଖସିଲା । ବିଜେପି ପାଇଁ ବଡ଼ ବିଡ଼ମ୍ବନା ହେଲା ବାଲେଶ୍ୱର । ୨୦୧୯ରେ ବିଜେପି ଏଠାରେ ୭୪ ହଜାର ୮୧୫ ଭୋଟ୍‌ ପାଇ ଜିତିଥିଲା । କିନ୍ତୁ ଗତ ଉପନିର୍ବାଚନରେ ଦିବଂଗତ ବିଧାୟକଙ୍କ ପୁଅଙ୍କୁ ପ୍ରାର୍ଥୀ କରିବା ସତ୍ତ୍ୱେ ୭୦ ହଜାର ୭୪୬ ଭୋଟ ପାଇ ବିଜେପି ପରାଜିତ ହୋଇଛି । ମୁଖ୍ୟତଃ ଏହି ପରାଜୟର ସମୀକ୍ଷା ପାଇଁ ରାଜ୍ୟ ବିଜେପି ନେତାଙ୍କ ସହ ଜେ.ପି. ନଡ୍ଡା ଫେସ୍ ଟୁ ଫେସ୍ ଆଲୋଚନା କରିବାର ସମ୍ଭାବନା ଅଛି ।

Leave a Reply