ଆବାସ ଯୋଜନାକୁ ନେଇ ଷଡ଼ଯନ୍ତ୍ର କରୁଛନ୍ତି ବିଜେପି ସାଂସଦ, ଡାହା ମିଛ ଯୋଗୁ ଓଡ଼ିଶାବାସୀ ବିଜେପିକୁ ତଡ଼ିଦେବେ

ଭୁବନେଶ୍ୱର: ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଥିଲା ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜୁ ଜନତା ଦଳ ଅଭିଯୋଗ କରିଛି । ବିଜେପିର ଷଡ଼ଯନ୍ତ୍ର ଯୋଗୁଁ ୩ ବର୍ଷ ପରେ ଓଡ଼ିଶାକୁ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ମିଳିଲା । ଓଡ଼ିଶା ବିଜେପିର ସେହି ଷଡ଼ଯନ୍ତ୍ରକାରୀ ନେତାମାନେ ପୁଣି ଆବାସ ଯୋଜନା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆବାସ ଯୋଜନା ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ଗଣମାଧ୍ୟମ ପ୍ରବକ୍ତା ଇପସିତା ସାହୁ କହିଛନ୍ତି । ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମ ଆଗକୁ ଆସି ଡାହା ମିଛ କହୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଜୋକର ବୋଲି ଭାବୁଛନ୍ତି । ରାଜ୍ୟ ବିଜେପିର ସାଂସଦମାନେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ପିଏମଏଓ୍ବାଇରେ ଘର ନଦେବାକୁ ଚାପ ପକାଇଥିଲେ । ବିଜେପି ସାଂସଦଙ୍କ ଷଡ଼ଯନ୍ତ୍ର ଯୋଗୁଁ ୩ ବର୍ଷ କାଳ କେନ୍ଦ୍ର ସରକାର ଓଡ଼ିଶାକୁ ଆବାସ ଯୋଜନାକୁ ଘର ବନ୍ଦ ରଖିଥିଲେ । ବହୁ ଆନ୍ଦୋଳନ ଓ ଚାପ ପକାଇବା ପରେ ୧୫ ଲକ୍ଷ ଘର ଜାଗାରେ ମାତ୍ର ୮ ଲକ୍ଷ ଘର ମିଳିଛି ବୋଲି ବିଜେଡି ଅଭିଯୋଗ କରିଛି ।