ତେଲାଙ୍ଗାନା ବିଜେପି ସାଂସଦ ବି. ସଂଜୟ କୁମାର ଗିରଫ

ହାଇଦ୍ରାବାଦ: ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ ପେପର ଲିକ ମାମଲାରେ ତେଲାଙ୍ଗାନା ରାଜ୍ୟ ବିଜେପି ସଭାପତି ତଥା ସାଂସଦ ବଣ୍ଡି ସଂଜୟ କୁମାର ଗିରଫ । ଗତ ଏପ୍ରିଲ ୪ ତାରିଖରେ ଓ୍ବାରାଙ୍ଗଲରେ ଏସଏସସି ପରୀକ୍ଷାର ହିନ୍ଦି ପ୍ରଶ୍ନପତ୍ର ଲିକ ହେବା ନେଇ ଅଭିଯୋଗ ହୋଇଥିଲା । ଲିକ୍ ହୋଇଥିବା ପ୍ରଶ୍ନପତ୍ରକୁ ବୁରାମ ପ୍ରଶାନ୍ତ ନାମକ ଜଣେ ସାମ୍ବାଦିକ ତଥା ବିଜେପି କର୍ମୀ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।

ଲିକ୍ ଘଟଣାରେ ସଞ୍ଜୟଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନିଜ ବାସଭବନ କରିମନଗରରେ ସଞ୍ଜୟ ଅଟକ ଥିଲେ । ଗିରଫ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଗିରଫ ପୂର୍ବରୁ ତାଙ୍କୁ ପାଲାକୁର୍ତ୍ତିସ୍ଥିତ ଏକ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଗିରଫ କରାଯାଇଛି ।

ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗତକାଲି ରାତିରୁ ଅଟକ ରଖାଯାଇଥିଲା । ଗିରଫ ପରେ ତାଙ୍କୁ ନାଲାଗୁଣ୍ଡା ଜିଲ୍ଲାସ୍ଥିତ ବୋମାଲା ରାମାରମ ପୋଲିସ ଷ୍ଟେସନକୁ ନିଆଯାଇଛି । ସେପଟେ ଗିରଫଦାରୀ ବିରୋଧରେ ରାଜ୍ୟରେ ଆନ୍ଦୋଳନ କରିବାକୁ ଧମକ ଦେଇଛି ବିଜେପି ।