ବିଜେପିରେ ଇସ୍ତଫା ପର୍ବ: ପଦ୍ମରୁ ମୁହଁ ଫେରାଇଲେ ଆଉ ୪ ବିଧାୟକ

ଲକ୍ଷ୍ନୌ: ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉତ୍ତରପ୍ରଦେଶ ବିଜେପିରେ ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ପର୍ବ ଶେଷ ହେବାର ନାଁ ନେଉନାହିଁ । ଆଜି ଗୋଟିଏ ଦିନରେ ୪ ଜଣ ବିଧାୟକ ଇସ୍ତଫା ଦେଇ ଯୋଗୀଙ୍କୁ ଜବରଦସ୍ତ ଧକ୍କା ଦେଇଛନ୍ତି । ତିନି ଦିନ ଭିତରେ ୧୦ ବିଧାୟକଙ୍କ ଇସ୍ତଫା ପଦ୍ମ ପୋଖରୀକୁ ପୂରା ଗୋଳିଆ କରି ଦେଇଛି । ଏମିତି ସ୍ଥିତିରେ ୟୁପିରେ ବିଭିନ୍ନ ପ୍ରସଙ୍ଗକୁ ନେଇ କାଠଗଡ଼ାରେ ଥିବା ବିଜେପି ନିଜ ସ୍ଥିତି ବଞ୍ଚାଇ ପାରିବ କି ନିର୍ବାଚନ ପୂର୍ବରୁ ଇସ୍ତଫା ଇସ୍ତଫାରେ ସଫା ହୋଇଯିବା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଆଜି ଇସ୍ତଫା ଦେଇଥିବା ବିଜେପି ନେତା ହେଲେ ବିଧୁନା ବିଧାୟକ ବିନୟ ଶାକ୍ୟା, ଯୋଗୀ ସରକାରର ଆୟୁସ ମନ୍ତ୍ରୀ ଧର୍ମ ସିଂ ସୈନୀ, ଶିକୋହାବାଦ ବିଧାୟକ ମୁକେଶ ବର୍ମା ଏବଂ ଲଖିମପୁର ଖେରୀ ବିଧାୟକ ବାଲା ପ୍ରସାଦ ଅଗସ୍ତି । ଧର୍ମ ସିଂ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବହୁତ ନିକଟତର ଥିଲେ । ୪ ନେତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଗତକାଲି ବିନୟ ଶାକ୍ୟ ବିଜେପି ଛାଡିବାକୁ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ମଙ୍ଗଳବାର ସ୍ବାମୀ ପ୍ରସାଦ ମୌର୍ଯ୍ୟ ଯୋଗୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ଏହାପରେ ତିନ୍ଦଓ୍ବାରୀ ବିଧାୟକ ପ୍ରିଜେଶ ପ୍ରଜାପତି, ବିଧାୟକ ରୋଶନ ଲାଲ ବର୍ମା, ଭଗବତୀ ସାଗର ଇସ୍ତଫା ଦେଇଥିଲେ । ଆଜି ବିନୟ, ଧର୍ମ, ମୁକେଶ ଏବଂ ବାଲା ଇସ୍ତଫା ଦେଇଛନ୍ତି ।

ବିଜେପି ଛାଡ଼ ପର୍ବ ଭିତରେ ସ୍ବାମୀ ପ୍ରସାଦଙ୍କ ଟ୍ବିଟ୍ ଏବେ ବିଜେପିର ଗୋଷ୍ଠୀ କନ୍ଦଳକୁ ଆହୁରି ଗୋଳିଆ କରିଛି । ସ୍ବାମୀ ପ୍ରସାଦ କହିଛନ୍ତି, ‘ନାଗ ରୂପୀ ଆରଏସଏସ, ସାପ ରୂପୀ ବିଜେପିକୁ ସ୍ବାମୀ ରୂପୀ ନେଉଳ ୟୁପିରେ ଶେଷ କରି ଦମ ନେବ ।’

Leave a Reply