ସବୁଜ ରଙ୍ଗ ଦେଖିଲେ ବାଉଳିଚାଉଳି ହେଉଛନ୍ତି ବିଜେପି ବିଧାୟକ

ଭୁବନେଶ୍ବର: ବିଜେପି ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କୁ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସଙ୍କ ଟାର୍ଗେଟ । ସ୍କୁଲ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖିଲେ ଗୌତମ । ସୂରଜଙ୍କୁ ସବୁଥିରେ ଖାଲି ରାଜନୀତି ଦେଖାଯାଉଛି । ସବୁଜ ରଙ୍ଗ ଦେଖିଲେ ସୂରଜ ବାଉଳିଚାଉଳି ହେଉଛନ୍ତି ବୋଲି କଲେ କଟାକ୍ଷ ।

ସାମ୍ବାଦିକ ସମ୍ମିଳନୀରେ ଗୌତ କହିଥିଲେ, ‘ସୂରଜଙ୍କ ମୁଣ୍ଡ ଆଉ କାମ କରୁନି । ଅଧିକାଂଶ ପନିପରିବା ଓ ଗଛଲତାର ରଙ୍ଗ ସବୁଜ । ତା’ହେଲେ କ’ଣ ସୂରଜ ସବୁଜ ପରିବା ଖାଇବା ଛାଡ଼ିଦେବେ ନା ଗଛଲତା ଦେଖିଲେ ଆଖି ବୁଜି ଦେବେ । ଆମ ଜାତୀୟ ପତାକାରେ ବି ସବୁଜ ରଙ୍ଗ ରହିଛି । ଯେଉଁମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି, ସେମାନେ ବହୁତ ଭାବିଚିନ୍ତି ପ୍ରଗତିର ରଙ୍ଗ ସବୁଜକୁ ପତାକାରେ ସ୍ଥାନ ଦେଇଛନ୍ତି । ହେଲେ ଏହାର ମହତ୍ବକୁ ବୁଝି ପାରୁନାହାନ୍ତି ସୂରଜ ସୂର୍ଯ୍ୟବଂଶୀ । ରଙ୍ଗକୁ ନେଇ ଏଭଳି ନକାରାତ୍ମକ ରାଜନୀତି କରିବା ଅନୁଚିତ । ରାଜନୀତି କରିବାକୁ ଆହୁରି ବହୁତ ପ୍ରସଙ୍ଗ ଅଛି । କିନ୍ତୁ ସ୍କୁଲ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ଅନ୍ତତଃ ଘୃଣାର ରାଜନୀତିରୁ ବିରତ ରହନ୍ତୁ ।’