ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ,ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଛି । ଗତକିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା । ସେଥିଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ୨୦୧୯ରେ ସେ ପ୍ରଥମ ଥର ପାଇଁ ବିଧାନସଭାକୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ ।

ସ୍ୱର୍ଗତ ଦତ୍ତ ବିଧାୟକ ହେବା ପୂର୍ବରୁ  ରେମୁଣା ପଞ୍ଚାୟତ ସମିତି ଅଧ୍ୟକ୍ଷ, ଦୁଇଥର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭାବେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଥିଲେ

ଦତ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ଦୁଃଖପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ସନ୍ଦେଶରେ କହିଛନ୍ତି ଯେ, ଦତ୍ତଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମହାତ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

ସେହିଭଳି ବାଲେଶ୍ଵର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ଅକାଳ ବିୟୋଗରେ ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ଡଃ ପାତ୍ର ସ୍ୱର୍ଗତ ଦତ୍ତଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଦତ୍ତଙ୍କ ମରଶରିରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଉଛି । ସେଠାରୁ ମରଶରିରକୁ ବାଲେଶ୍ୱର ନିଆଯିବା । ବାଲେଶ୍ୱରରେ ତାଙ୍କର ଶେଷକୃତ୍ୟ ହେବ ।

Leave a Reply