ବିଜେପିରେ ଅଧାଗଢା ମନ୍ତ୍ରିମଣ୍ଡଳ ଝଡ ; ମନର କଥା କହିଲେ ଜୟନାରାୟଣ ଓ ପଦ୍ମଲୋଚନ

ଭୁବନେଶ୍ବର: ବିଜେପିରେ ଅଧାଗଢା ମନ୍ତ୍ରିମଣ୍ଡଳ ଝଡ । ମନର କଥା କହିଲେ ଜୟନାରାୟଣ ଓ ପଦ୍ମଲୋଚନ । କିଏ ଫିଟ୍ ଓ କିଏ ଅନଫିଟ୍ ତାଙ୍କୁ ନେଇ ଉଠିଲା ପ୍ରଶ୍ନ । ଜୟ ନାରାୟଣ କହିଲେ ମତେ ନାହିଁ ମନ୍ତ୍ରୀ ଅଫର । ବର୍ଷ ପୂର୍ତ୍ତି ସମାରୋହ ପାଳନ ପାଇଁ ବିଜେପି ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ହେଲେ ବର୍ଷେ ହେବ ଅଧାଗଢା ମନ୍ତ୍ରିମଣ୍ଡଳରେ ସରକାର ଚାଲୁଥିବାରୁ ବିରୋଧୀ ସମାଲୋଚନା କରୁଥିବାବେଳେ ଦଳର ବିଧାୟକମାନେ ଅସନ୍ତୋଷ ପ୍ରକାଶ କଲେଣି । କାହିଁକି ୬ଟି ମନ୍ତ୍ରୀପଦ ପୂରଣ କରାଯାଉନାହିଁ ତାକୁ ନେଇ ବିଜେପିର ବରିଷ୍ଠ ବିଧାୟକମାନେ ମୁହଁ ଖୋଲିଛନ୍ତି । ଦଳର ଦୁଇ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଓ ପଦ୍ମଲୋଚନ ପଣ୍ଡା ମନ୍ତ୍ରୀପଦ ପୂରଣ ନେଇ ଖୋଲାଖୋଲି ବୟାନବାଜି କରିଛନ୍ତି ।
ଜୟନାରାୟଣ କହିଛନ୍ତି ମନ୍ତ୍ରୀପଦ କାହିଁକି ପୂରଣ କରାଯାଉ ନାହିଁ ତାହା ସେ ଜାଣନ୍ତିନାହିଁ । ଆହୁରି କହିଛନ୍ତି, ମୁଁ ସରକାରରେ ନାହିଁ, ଲୋକଙ୍କ ସହ ଅଛି । ମତେ ଏଯାଏଁ ଅଫର ହୋଇନାହିଁ । ଯେଉଁ ସମୟରେ ସେମାନେ କହିବେ ଦେଖିବି ଓ ବିଚାର କରିବି । ଜୁନିୟରଙ୍କ ଯୋଗ୍ୟତା ଅଧିକ ଥିବାରୁ ସେମାନେ ମନ୍ତ୍ରୀ ହୋଇଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ଜୟନାରାୟଣ । ସେହିପରି ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି ଜୟନାରାୟଣଙ୍କ ମତ ସହ ମୁଁ ଏକମତ। ମନ୍ତ୍ରୀମଣ୍ଡଳ ପଦବୀ ପୂରଣ ହେବ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ଚାହିଁଲେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ । ମନ୍ତ୍ରୀପଦ ପାଇଁ ମୁଁ ପୂରା ଫିଟ । ଶିକ୍ଷାଗତ ଯୋଗ୍ୟତା ଅଛି । ମୁଁ ଦଳର ବରିଷ୍ଠ ନେତା ଓ ମୋର ଆତ୍ମସମ୍ମାନ ମଧ୍ୟ ଅଛି ବୋଲି ବିଧାୟକ ପଦ୍ମଲୋଚନ କହିଛନ୍ତି ।
ବିଜେପି ସରକାର ଗଠନର ୧୧ ମାସ ପରେ ବି ୬ଟି ମନ୍ତ୍ରୀପଦ ଖାଲିପଡିଛି । ବର୍ଷ ପୂର୍ତ୍ତି ପୂର୍ବରୁ ମୋହନ ସରକାର ତାଙ୍କର ମନ୍ତ୍ରିମଣ୍ଡଳ ସମ୍ପ୍ରଦାରଣ କରିବେ କି ନାହିଁ ତାହାକୁ ନେଇ ବିଜେପିରେ ଅସନ୍ତୋଷ ନିଆଁ କୁହୁଳିବାରେ ଲାଗିଛି । ଅଧାଗଢା ମନ୍ତ୍ରିମଣ୍ଡଳକୁ ନେଇ ବରିଷ୍ଠ ବିଧାୟକମାନେ ମୁହଁ ଖୋଲିବା ପରେ ଅନ୍ୟ ବିଧାୟକମାନେ ଏ ପ୍ରସଙ୍ଗରେ ମାପିଚୁପି ବୟାନ ରଖିଛନ୍ତି । ଅଧାଗଢା ମନ୍ତ୍ରିମଣ୍ଡଳ ଓ ଜଣେ ଜଣେ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବା ନେଇ ବିଜେପି ବିଧାୟକମାନେ ନିଜର ମନକଥା କହିଛନ୍ତି । ଶାସକ ଦଳର ଜଣକ ପରେ ଜଣେ ବିଧାୟକ ୬ଟି ମନ୍ତ୍ରୀପଦ ପୂରଣ ପାଇଁ ମୁହଁ ଖୋଲିବା ପରେ ମୋହନ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ଚର୍ଚ୍ଚା ପାଓ୍ବାର କରିଡରେ ଜୋରଦାର ହୋଇଛି ।