ସରକାରଙ୍କ ପାଇଁ ଅଡୁଆ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ଉଗ୍ର ଆଚରଣକୁ ଆଉ କେତେଦିନ ସହିବେ ?

ନନ୍ଦିଘୋଷ ବ୍ୟୁରୋ: ସରକାର ଓ ଦଳ ପାଇଁ ଘାତକ ସାଜିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ବିବାଦୀୟ ଜୟ ନାରାୟଣ ଏବେ ଖୋଲାଖୋଲି ପୋଲିସ ଅଧିକାରୀଙ୍କୁ ଧମକାଇବା ସହ ଥାନା ପୋଡ଼ି ଦେବାକୁ ଧମକ ଦେଇଛନ୍ତି । ଯାହାକୁ ନେଇ ଅଡୁଆରେ ପଡିଛନ୍ତି ରାଜ୍ୟ ସରକାର । ସ୍ଥିତି ଏପରି ହେଲାଣି ଯେ, ବିଜେପି ତଣ୍ଟିରେ କଣ୍ଟା ସାଜିଛନ୍ତି ସମ୍ବଲପୁର ବିଧାୟକ । ଶାସକ ଦଳର ବିଧାୟକ ଆଇନକୁ ହାତକୁ ଦେବା ପାଇଁ ଚ୍ୟାଲେଞ୍ଜ କରିବା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି । ଜୟଙ୍କ ଆଚରଣ ଓ ସରକାରଙ୍କ ନୀରବତାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ସେହିପରି ସମ୍ବଲପୁର ଥାନା ଅଧିକାରୀଙ୍କ ସପକ୍ଷରେ ବାହାରିଛି ପୋଲିସ ସଂଘ । ହେଲେ ଜୟନାରାୟଣଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା, ମିଳିମଶି ଚାପି ଦେବାକୁ ଚାଲିଛି ଉଦ୍ୟମ ।

ବିଜେପି ପାଇଁ ଜୟ ଏବେ ତଣ୍ଟିରେ କଣ୍ଟା ସଦୃଶ ହୋଇଛନ୍ତି । ମନ୍ତ୍ରୀ ପଦ ନ ମିଳିବାରୁ ହେଲେଣି ବିଚଳିତ । ରାଜ୍ୟର ଆଇନ ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ କରିବା ଜୟଙ୍କ ପାଇଁ ପଡ଼ିପାରେ ମହଙ୍ଗା । ବିଜେପିର ଏହି ଦବଙ୍ଗ ବିଧାୟକ ଆଇଆଇସିଙ୍କୁ ହତ୍ୟା ସହ ଥାନା ଜାଳି ଦେବାକୁ ଦେଇଛନ୍ତି ଧମକ । ଏନେଇ ଅଭିଯୋଗ କରିଛନ୍ତି ଖୋଦ ସମ୍ବଲପୁର ଟାଉନ ଥାନା ଆଇଆଇସି ସୁବ୍ରତ କୁମାର ମେହେର । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ଶାସକ ଦଳର ବିଧାୟକଙ୍କ ପାଇଁ ଅଲଗା ଆଇନ ଅଛି କି ବୋଲି ସରକାରଙ୍କୁ କରିଛନ୍ତି ପ୍ରଶ୍ନ । ତେଣୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସ ଓ ବିଜେଡି । ବାମଦଳ ମଧ୍ୟ ଜୟନାରାୟଣଙ୍କ ବିରୋଧରେ ଆକ୍ସନ ନେବାକୁ ଦାବି କରିଛି ।

ଜଣେ ଅଭ୍ୟାସଗତ ଆଇନ ଉଲ୍ଲଙ୍ଘନକାରୀ ଭାବେ ଜଣାଶୁଣା ଜୟଙ୍କ ବ୍ୟବହାରକୁ ମଧ୍ୟ ନାପସନ୍ଦ କରିଛନ୍ତି ସମ୍ବଲପୁର ବାସିନ୍ଦା । ସରକାରୀ ଦଳର ହୋଇ ଆଇନକୁ ହାତକୁ ନେବା ପାଇଁ ଆହ୍ବାନ କରିବା ବିଧାୟକଙ୍କ ପକ୍ଷରେ ଉଚିତ ନୁହେଁ । ଏହା ସାଧାରଣ ଲୋକଙ୍କୁ ଆଇନ ହାତକୁ ନେବାକୁ ପ୍ରୋତ୍ସାହିତ କରିବ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ । ବିଧାୟକ ଜୟନାରାୟଣଙ୍କ ଧମକ ଓ ଖରାପ ଭାଷା ପ୍ରୟୋଗ କଥା ଏତଲାରେ ଉଲ୍ଲେଖ କରିଛନ୍ତି ସମ୍ବଲପୁର ଆଇଆଇସି ସୁବ୍ରତ ମେହେର । ବିଧାୟକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୩୫୧, ୨୨୧ରେ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ଅଧିକାରୀଙ୍କ ସପକ୍ଷରେ ବାହାରିଛି ପୋଲିସ ସଂଘ । ଓଡ଼ିଶା ପୋଲିସ ସଂଘ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ଆଇନ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବା କଥା କହିବା ବଦଳରେ, ଦଳ ତାଙ୍କ ସହ ଆଲୋଚନା କରିବା କଥା କହୁଛନ୍ତି । ଆଇନ ଶୃଙ୍ଖଳା ସଜାଡ଼ିବା ପାଇଁ ମୋହନ ସରକାର ଥାନାକୁ ଗାଡ଼ି, ଘୋଡ଼ା ସହ ମାନବ ସମ୍ବଳ ଯୋଗାଉଛନ୍ତି ବୋଲି କହୁଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । କିନ୍ତୁ ନିଜର ଦଳର ଜଣେ ବିଧାୟକ କିପରି ଆଇନ ଶୃଙ୍ଖଳା ଭଙ୍ଗ କରୁଛନ୍ତି, ସେ କଥା ପଚାରିଲେ ବ୍ୟକ୍ତିଗତ କହି ଏଡାଇ ଯାଉଛନ୍ତି ବିଜେପି ନେତା ।

ସର୍ବସାଧାରଣରେ ଆଇନକୁ ହାତକୁ ନେବା କଥା ହେଉ କି ରାଜ୍ୟ ସଙ୍ଗୀତକୁ ଅବମାନନା, ପୁଣି ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର ହେଉ କି ଗୃହ ଭିତରେ ବିଧାୟକଙ୍କୁ ଠେଲାପେଲା, ସବୁଠି ବିବାଦ ଘେରରେ ଥିବା ବିଜେପି ବିଧାୟକ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ଉପରେ ଚାପ ବଢିଚାଲିଛି ।