ଶିକ୍ଷାନୁଷ୍ଠାନରେ ନିର୍ବାଚନୀ ସଭା ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ପଡ଼ିଲା ମହଙ୍ଗା, ମୋହନଙ୍କୁ ଅଟକ ରଖିଲେ ଗାଁ ଲୋକେ

କେନ୍ଦୁଝର: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଶିକ୍ଷାନୁଷ୍ଠାନରେ ସଭା କରିବା ବିଜେପି ବିଧାୟକ ପ୍ରାର୍ଥୀ ମୋହନ ମାଝୀଙ୍କୁ ପଡ଼ିଲା ମହଙ୍ଗା । ଗାଁ ଲୋକେ ଘରିଯିବା ସହ ମୋହନଙ୍କୁ ରଖିଲେ ଅଟକ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ଫେରିଲେ ମୋହନ ।

ସୂଚନା ଅନୁସାରେ, ସଦର ନିର୍ବାଚନ ମଣ୍ଡଳୀ ପଦ୍ମପୁର ଶିଶୁ ବିଦ୍ୟା ମନ୍ଦିରରେ ମୋହନ ମାଝୀ ନିର୍ବାଚନୀ ସଭା କରୁଥିଲେ । ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କୌଣସି ଶିକ୍ଷାନୁଷ୍ଠାନରେ ପ୍ରାର୍ଥୀ ସଭା ସମିତି କରିବା ମନା । ହେଲେ ଏହାକୁ ବେଖାତିର କରି ମୋହନ ଶିଶୁବିଦ୍ୟା ମନ୍ଦିର ପରିସରରେ ସଭା କରୁଥିଲେ । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ମୋହନଙ୍କୁ ଘେରାଉ କରି ଅଟକ ରଖିଥିଲେ ।

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ବିଧାୟକ ଥିବା ମୋହନ ମାଝୀ ଗତ ୫ ବର୍ଷ ମଧ୍ୟରେ ଅଞ୍ଚଳରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନାହାନ୍ତି । ତେବେ ଘଟଣାକୁ ନେଇ ମୋହନଙ୍କ ପ୍ରତିକ୍ରିୟା ମିଳିପାରିନି ।