ଭୋଗରାଇରେ ଫିକା ପଡ଼ିଲା ବିଜେପି ସଭା, ଅଧାବାଟରୁ ଫେରିଗଲେ ଅପରାଜିତା

ନନ୍ଦିଘୋଷ ବ୍ୟୁରୋ: ଭୋଗରାଇରେ ଫିକା ପଡ଼ିଲା ବିଜେପି ସଭା । ସଭାକୁ ଲୋକେ ନଆସିବାରୁ ଅଧାବାଟରୁ ଫେରିଗଲେ ଅପରାଜିତା ଷଡଙ୍ଗୀ । ଏହି ଅଭାବନୀୟ ଘଟଣାକୁ କ୍ୟାମେରାରେ ଉତ୍ତୋଳନ କରୁଥିବା ବେଳେ ଗୁଣ୍ଡାଗିରି କଲେ ବିଜେପି କର୍ମୀ । କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ ମାରିବା ସହ ମୋବାଇଲ ଛଡାଇ ନେଲେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନମଣ୍ଡଳି ଥାନା ଛକ ପଡ଼ିଆରେ ଘଟିଛି ଏଭଳି ଘଟଣା । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ବିଜେପି ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ସଭାକୁ ଲୋକେ ଆସିନଥିଲେ । ବାଧ୍ୟ ହୋଇ ଅପରାଜିତା ଅଧାବାଟରୁ ଫେରିଯାଇଥିଲେ । ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସନ୍ତୁଷ୍ଟ ହୋଇ ଲୋକଙ୍କ ସଭାସ୍ଥଳ ଛାଡି ଚାଲିଯିବା ଦୃଶ୍ୟକୁ ଗଣମାଧ୍ୟମ ପ୍ରତିନିଧି କ୍ୟାମେରାରେ ଉତ୍ତୋଳନ କରୁଥିବା ବେଳେ, ଉତ୍ତ୍ୟକ୍ତ ବିଜେପି କର୍ମୀ ତାଙ୍କୁ ମାଡ଼ ମାରିବା ସହ ମୋବାଇଲ ଛଡାଇ ନେଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଜେପି କର୍ମୀ ଓ ନେତାଙ୍କ ଏପରି ଗୁଣ୍ଡାରାଜକୁ ନିନ୍ଦା କରିଛନ୍ତି ସାଧାରଣ ଲୋକ ।