ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ବିଜେପି ବୈଠକ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାସଭବନରେ ଦଳର ପ୍ରମୁଖ ନେତାଙ୍କୁ ନେଇ ବସୁଛି ବୈଠକ। ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହ ଉତ୍ସବ ପୂର୍ବରୁ ଏହି ବୈଠକ ଡାକିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବୈଠକରେ ବିଜେପିର ବରିଷ୍ଠ ନେତା ଅମିତ ଶାହା, ରାଜନାଥ ସିଂହ, ବିଏଲ ସନ୍ତୋଷଙ୍କ ସହ ଅନ୍ଯ ପ୍ରମୁଖ ନେତା ଯୋଗ ଦେବାର କାଯ୍ଯକ୍ରମ ରହିଛି। ଯେଉଁଥିରେ ମଧ୍ଯପ୍ରଦେଶ ପୂର୍ବତନ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମଧ୍ଯ ସାମିଲ ଅଛନ୍ତି । ଶିବରାଜଙ୍କ ନେତୃତ୍ବରେ ଦଳ ରାଜ୍ଯରେ ୨୯ ସିଟ ଦଖଲ କରିପାରିଛି । ଏପରିକି ଶିବରାଜ ମଧ୍ଯ ନିଜେ ବୃହତ ମାର୍ଜିନରେ ବିଜୟୀ ହୋଇଛନ୍ତି । ତାଙ୍କୁ ବଡ଼ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ପୂର୍ବରୁ ଆସନ୍ତା ୮ ତାରିଖରେ ଲଗାତାର ତୃତୀୟଥର ଲାଗି ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । ଏବେ ୯ ତାରିଖରେ ଶପଥ ଗ୍ରହଣ ହେବ ବୋଲି ଜଣାପଡିଛି । ଗତକାଲି ଏନଡିଏର ବସିଥିବା ବୈଠକରେ ସର୍ବସମ୍ମତକ୍ରମେ ନେତା ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ସାକ୍ଷାତ କରିବେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର। ନିର୍ବାଚିତ ସାଂସଦଙ୍କ ନୂତନ ତାଲିକା ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ। ଦେଶରେ କେଉଁ ଦଳ ସାଧାରଣ ନିର୍ବାଚନରେ ସଂଖ୍ଯାଗରିଷ୍ଠତା ଏ ନେଇ ତାଲିକା ପ୍ରଦାନ କରିବେ ଭାରତୀୟ ନିର୍ବାଚନ କମିଶନ। ଏହାପରେ ବିଧିବଦ୍ଧ ଭାବେ ସଂଖ୍ଯାଗରିଷ୍ଠତା ହାସଲ କରିଥିବା ଦଳକୁ ସରକାର ଗଠନ ଲାଗି ଆହ୍ଵାନ କରିବେ ରାଷ୍ଟ୍ରପତି।