ମନ୍ତ୍ରୀଙ୍କୁ ଚପଲ ମାଡ କରି ୫ ବିଜେପି କର୍ମୀ ଗିରଫ, ଦଳ ଛାଡିଲେ ନେତା

ଚେନ୍ନାଇ: ତାମିଲନାଡୁ ବିଜେପିରେ ଅସନ୍ତୋଷ ନିଆଁ ଦେଖିବାକୁ ମିଳିଛି  । କର୍ମୀ ଓ ନେତାଙ୍କ ଆଚରଣରେ କୌଣସି ତାଳମେଳ ରହୁନାହିଁ  । ମନ୍ତ୍ରୀ ପାଲାନିଭେଲ ଥିଆଗରାଜନଙ୍କ କାରକୁ ଚପଲ ମାଡ କରି ୫ ବିଜେପି କର୍ମୀ ଗିରଫ ପରେ ପଦାରେ ପଡିଛି ବିଜେପି କଳି । ମଦୁରାଇ ବିମାନ ବନ୍ଦର ବାହାରେ ମନ୍ତ୍ରୀଙ୍କ କାରକୁ ଟାର୍ଗେଟ କରିଥିଲେ ବିଜେପି କର୍ମୀ  । ଆଇପିସି ଧାରା ୫୦୬, ୩୪୧, ୩୪ ଆଧାରରେ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ମଦୁରାଇ ପୋଲିସ କମିଶନର  ।

ସେପଟେ ଏହି ଘଟଣା ପରେ ମଦୁରାଇ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେପି ନେତା ସାରଭନନ  । ‘ବିମାନ ବନ୍ଦରରେ ବିଜେପି କର୍ମୀଙ୍କ ଏଭଳି ଆଚରଣରେ ମୁଁ ଦୁଃଖିତ । ମଧ୍ୟରାତ୍ରିରେ ଅର୍ଥମନ୍ତ୍ରୀଙ୍କୁ ଭେଟି ମୁଁ କ୍ଷମା ପ୍ରାର୍ଥନା କରିଛି  । ନିୟନ୍ତ୍ରଣ ହରାଇ ବିଜେପି ନେତା ଯେଭଳି ଆଚରଣ ପ୍ରଦର୍ଶନ କଲେ ତାହା ଦୁଃଖଦ’ ବୋଲି କହିଛନ୍ତି ସାରଭନନ  ।

ବିଜେପିରେ ପଦବୀ ଅପେକ୍ଷା ଶାନ୍ତି ଜରୁରୀ  । ଏଥିପାଇଁ ବିଜେପି ସହ ଆଗକୁ ବଢିବା ସମ୍ଭବପର ନୁହେଁ  । ବିଜେପିକୁ ଇସ୍ତଫା ପତ୍ର ପଠାଇ ଦେଇଛି  । ଡିଏମକେରେ ଯୋଗ ଦେବାକୁ କୌଣସି ଯୋଜନା ନାହିଁ  । କିନ୍ତୁ ଡିଏମକେରେ ଯୋଗ ଦେବା କୌଣସି ଅପରାଧ ନୁହେଁ ବୋଲି ବିଜେପି ମଦୁରାଇ ଜିଲ୍ଲା ସଭାପତି ସାରଭନନ କ୍ଷୋଭ ପ୍ରକାଶ କରିଛନ୍ତି  ।