ଉତ୍ତରାଖଣ୍ଡରେ ୟୁପି ପୋଲିସ-ମାଫିଆ ଗୁଳିବିନିମୟରେ ବିଜେପି ନେତାଙ୍କ ପତ୍ନୀ ମୃତ

ବରେଲି: ଉତ୍ତରାଖଣ୍ଡରେ ଉତ୍ତରପ୍ରଦେଶ ପୋଲିସ ଉପରେ ହତ୍ୟା ମକଦ୍ଦମା ରୁଜୁ କରାଯାଇଛି । ୟୁପି ପୋଲିସ ଉପରେ ବିଜେପି ନେତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ମୁରାଦାବାଦ ପୋଲିସ ଉତ୍ତରାଖଣ୍ଡର ଜସପୁରରେ ରେଡ୍ ମାରିବାକୁ ଯାଇଥିଲା । ଗ୍ରାମବାସୀ ପୋଲିସକୁ ଘେରିଯିବା ପରେ ଉଭୟ ପକ୍ଷରୁ ଫାଇରିଙ୍ଗ ହୋଇଥିଲା ।

ଗୁଳିବିନିମୟରେ ଜସପୁର ବିଜେପି ନେତା ଗୁରତାଜଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା । ଅଭିଯୋଗ ହେଉଛି ଯେ, ମହିଳାଙ୍କ ମୃତ୍ୟୁ ପୋଲିସ ଗୁଳିରେ ହୋଇଛି । ମୁରାଦାବାଦ ପୋଲିସର ୨ ଯବାନଙ୍କୁ ମଧ୍ୟ ଗୁଳି ଲାଗିଛି । ପୋଲିସ ଟିମର ଅନେକ ଲୋକଙ୍କୁ ବନ୍ଧକ ରଖାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଥିବା ଖଣି ମାଫିଆ ଜାଫରକୁ ମୁରାଦାବାଦ ପୋଲିସ ଧରିବାକୁ ଯାଇଥିଲା ।

ବିଜେପି ବ୍ଲକ ପ୍ରମୁଖ ଗୁରତାଜଙ୍କ ଘରେ ଅଭିଯୁକ୍ତ ଲୁଚିଥିବାର ଖବର ମୁରାଦାବାଦ ପୋଲିସକୁ ମିଳିଥିଲା । ମୁରାଦାବାଦ ପୋଲିସ ପହଞ୍ଚିବା ପରେ ଉଭୟ ପକ୍ଷରୁ ଫାଇରିଙ୍ଗ ହୋଇଥିଲା, ଯେଉଁଥିରେ ବ୍ଲକ ପ୍ରମୁଖଙ୍କ ପତ୍ନୀ ଗୁରପ୍ରୀତ କୌରଙ୍କ ମୃତ୍ୟୁ ହୋଇଯାଇଛି । କିଛି ପୋଲିସ କର୍ମୀ ଏବେବି ନିଖୋଜ ଥିବା ଖବର ସାମ୍ନାକୁ ଆସିଛି । ଗ୍ରାମବାସୀମାନେ ମୁରାଦାବାଦ ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହତ୍ୟା ମାମଲା ରୁଜୁ କରିଛନ୍ତି ।

ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ମଧ୍ୟ କିଛି ପୋଲିସକର୍ମଚାରୀ ହୋଇଥିବା ସୂଚନା । ୧୨ ଜଣ ପୋଲିସ କର୍ମଚାରୀଙ୍କୁ ମାଫିଆ ଜାଫର ୩ ଘଣ୍ଟା ବନ୍ଧକ ରଖିବା ସହ ପୋଲିସ ଗାଡ଼ି ଜାଳିଦେଇ ଅସ୍ତ୍ରଶସ୍ତ୍ର ଲୁଟ୍ କରିନେଇଥିଲା । ଏବଂ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ଖବରରେ ଗ୍ରାମବାସୀଙ୍କ ଉତ୍ତେଜନାର ସୁଯୋଗ ଉଠାଇ ଅଭିଯୁକ୍ତ ପେରାର ହୋଇଯାଇଥିବା ସୂଚନା ।