ପୁଣି ନିୟମ ଭାଙ୍ଗିଲେ ଓ ତଣ୍ଡ ଗଣିଲେ ବିଜେପି ନେତା

BJP leaders violating Covid Norms again

ମାଲକାନଗିରି: ପୁଣି ତଣ୍ଡ ଗଣିଛନ୍ତି ବିଜେପି ନେତା । କରୋନା ନିୟମକୁ କରିଛନ୍ତି ଉଲ୍ଲଂଘନ । ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି  ଜରିମାନା ଦେଇଛନ୍ତି ଅମାନିଆ ବିଜେପି ନେତା  । ନିୟମ ଉଲ୍ଲଂଘନ ଅଭିଯୋଗରେ ବିଜେପିର ପ୍ରଭାତୀ ପରିଡ଼ା, ବଳଭଦ୍ର ମାଝୀ ଓ ଆଦିତ୍ୟ ମାଢ଼ିଙ୍କଠାରୁ ଜରିମାନା ଆଦାୟ କରାଯାଇଛି  । ପୂର୍ବରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର କୋଭିଡ ନିୟମ ଭାଙ୍ଗି ବିବାଦକୁ ଆସିଥିଲେ, ଜରିମାନା ବି ଦେଇଥିଲେ  । ନିକଟରେ ପ୍ରଭାତୀ ପରିଡ଼ା ୪୦ରୁ ଅଧିକ ବିଜେପି ନେତାଙ୍କ ମେଳି କରି ମାଲକାନଗିରିର ବିଭିନ୍ନ ସ୍ଥାନ ବୁଲିଥିଲେ  । ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ଆଦିତ୍ୟ ମାଢ଼ୀଙ୍କ ସହ ପୂରା ବିଜେପି ଟିମ୍‌ ମାଲକାନିଗିରି ସର୍କିଟ ହାଉସରେ ରହିଥିଲେ । ସେଠାରୁ ସେମାନେ ଜଣେ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରୁ ଡାକ୍ତରଖାନା, ମାଲକାନଗିରି ଥାନା ଏବଂ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ମଧ୍ୟ ଯାଇଥିଲେ । କେଉଁଠି ହେଲେ ସାମାଜିକ ଦୂରତା ନଥିଲା । ବିଜେପି ଟିମ୍‌ର କିଛି ଲୋକ ମାସ୍କ ପିନ୍ଧିଥିବା ବେଳେ କିଛି ଲୋକ ପିନ୍ଧିନଥିବା ଦେଖିବାକୁ ମିଳିଥିଲା । ଶେଷରେ ବିଜେପିର ପ୍ରଭାତୀ ପରିଡ଼ା, ବଳଭଦ୍ର ମାଝୀ ଓ ଆଦିତ୍ୟ ମାଢ଼ିଙ୍କଠାରୁ ୫ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ମାଲକାନଗିରି ତହସିଲଦାର କହିଛନ୍ତି ।

Leave a Reply