ସୀମା ଟପିଲେ ବିଜେପି ନେତା, ବନ୍ଧୁକ ମୁନରେ ଫଲ୍ସ ବିଲ୍ କରିବାକୁ ଚାପ

ନନ୍ଦିଘୋଷ ବ୍ୟୁରୋ : ବିଜେପି ନେତାଙ୍କ ଦାଦାଗିରି। ବନ୍ଧୁକ ମୁନରେ ଫଲ୍ସ ବିଲ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଚାପ। ଦସ୍ତଖତ ନକରିବାରୁ ଯନ୍ତ୍ରୀଙ୍କୁ କଲେ ଆକ୍ରମଣ। ହେଲେ ଏତଲା ରଖିଲେନି ଥାନା ଆଇଆଇସି। ବଲାଙ୍ଗୀର ଖପ୍ରାଖୋଲ ଥାନା ଅଂଚଳର ଏ ଘଟଣା। ଘଟଣା ନେଇ ଏସପିଙ୍କ ଦ୍ଵାରସ୍ଥ ହେବାରୁ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ବନ୍ଧୁକ ମୁନରେ ଘରୁ ଟାଣି ଆଣି ବଲାଙ୍ଗୀର ଖପ୍ରାଖୋଲ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଲୋହିତ କିଶୋର ବଳକୁ ଆକ୍ରମଣ ଅଭିଯୋଗ। ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମରଣାନ୍ତକ ଆକ୍ରମଣ କରିଥିଲେ ବିଜେପି କର୍ମୀ ।

ଖପ୍ରାଖୋଲ ବ୍ଲକ ସାହାଜପାଣି ସମିତିସଭ୍ୟ ଉପେନ୍ଦ୍ର ଭୋଇଙ୍କ ସମେତ ୨୦ରୁ ୩୦ ବିଜେପି କର୍ମୀ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ କନିଷ୍ଠ ଯନ୍ତ୍ରୀ ତାଙ୍କ ଜୀବନପ୍ରତି ବିପଦ ଥିବା ନେଇ ଖପ୍ରାଖୋଲ ଥାନା ଅଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ପୋଲିସ କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରିବା ଦୂରର କଥା ଆକ୍ରମଣ ଖବର ପାଇ ମଧ୍ୟ ଉଦ୍ଧାର କରିନଥିଲା । ରକ୍ତାକ୍ତ ଅବସ୍ଥାରେ ଯାନ୍ତ୍ରୀ ଥାନାକୁ ଯାଇ ଅଭିଯୋଗ କରିବାରୁ ପୋଲିସ ଶୁଣିଲାନି କି ଏତଲା ମଧ୍ୟ ରଖିଲାନି। ମାନସିକ ସ୍ତରରେ ଭୟଭୀତ ଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ । ହତ୍ୟା କରିବାକୁ ଯନ୍ତ୍ରୀଙ୍କୁ ଫୋନରେ ଧମକଚମକ ଦେଉଥିବାରୁ ଖପ୍ରାଖୋଲ ନଯାଇ ଭୟରେ ବଲାଙ୍ଗୀରରେ ରହିଥିବା କହିଛନ୍ତି ।

ଘଟଣା ନେଇ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ମଧ୍ଯ ଜଣାଇଥିବା କହିଛନ୍ତି । ଅଭିଯୁକ୍ତ ଉପେନ୍ଦ୍ର ଭୋଇ କନକବର୍ଦ୍ଧନ ସିଂଦେଓଙ୍କ ନିକଟତର ହୋଇଥିବାରୁ ନ୍ୟାୟ ପାଇଁ କନିଷ୍ଠ ଯନ୍ତ୍ରୀ ବଲାଙ୍ଗୀର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ବଲାଙ୍ଗୀର ଟାଉନ୍ ଥାନା ଅଧିକାରୀଙ୍କୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସପି। ବିଜେପି ନେତା ଉପେନ୍ଦ୍ର ଭୋଇଙ୍କ ସମେତ ଆଉ କିଛି ବିଜେପି କର୍ମୀ ନାଁରେ ମାମଲା ରୁଜୁ ହୋଇଛି