ବୈଜୟନ୍ତ ପଣ୍ଡାଙ୍କ ସାମାଜିକ ଦୂରତା ନିୟମ ଉଲ୍ଲଂଘନକୁ ପୂରିଲାଣି ୧୫ ଦିନ, ଏଯାଏଁ ଦେଲେ ନାହିଁ ଫାଇନ

ଭୁବନେଶ୍ୱର: କେବେ ନୋ ଫ୍ଲାଇଙ୍ଗ ଜୋନରେ ବେଫିକର ହେଲିକପଟର ଉଡ଼ାଇ ସମାଲୋଚିତ ହୋଇଛନ୍ତି ତ ଆଉ କେବେ ମିଛ ଟ୍ୱିଟ କରି ଉପହାସିତ ହୋଇଛନ୍ତି । ଏପରି ଜଣେ ନେତା ହେଉଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏବେ ଯେଉଁ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ତାହା ଜାଣିଲେ ଆପଣ ତାଜୁବ ହୋଇଯିବେ । ବାତ୍ୟା ଅମ୍ଫାନ ପ୍ରଭାବିତ କେନ୍ଦ୍ରାପଡ଼ାରେ କରୋନା କଟକଣାକୁ ବେଧଡ଼କ ଉଲ୍ଲଂଘନ କରି ରାଲି ପରେ ରାଲି କଲେ ତାହାକୁ ନେଇ ରାଜ୍ୟବାସୀ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଛଟପଟ ଦେଖି ଏମିତି ଲାଗୁଥିଲା କି ଯେ, ଲକଡାଉନର ନୀରବତାରେ ସତେ ଯେମିତି ଭୋଟ ଭିକ୍ଷା କରୁଥିଲେ ବୈଜୟନ୍ତ । ତେବେ ତାଙ୍କ ସହ ସାମିଲ ଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ନେଇ ଭୁଲ ସ୍ୱୀକାର କରି ଫାଇନ ଦେଇଥିବାବେଳେ ବୈଜୟନ୍ତ କିନ୍ତୁ ବେଫିକର ଚୁପ ବସିଯାଇଛନ୍ତି । ଏମିତିକୁ ତାଙ୍କୁ କାରଣଦର୍ଶାଅ ନୋଟିସଟିଏ ବି ଜାରି କରିନି ଜିଲ୍ଲା ପ୍ରଶାସନ । ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି  ?

ମୋଦିଙ୍କ ଆହ୍ଵାନକୁ ଅହଙ୍କାରର ପାଦରେ ଆଡେଇଦେଲେ ବିଜେପିର ବରିଷ୍ଠ ନେତା । କରୋନା ଯୁଦ୍ଧରେ ଏକମାତ୍ର ଅସ୍ତ୍ର ସାମାଜିକ ଦୂରତା ରକ୍ଷା କରିବା । ସଂକ୍ରମଣକୁ ରୋକିବାକୁ ମାସ୍କ ପିନ୍ଧିବା । ହେଲେ ଶସ୍ତା ରାଜନୀତି ପାଇଁ ଏ ଦୁଇ ମୁଖ୍ୟ କଟକଣାକୁ ଉଲ୍ଲଂଘନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ । ଲକଡାଉନ ସମୟରେ ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ରୋଡ ଶୋ କରିଥିଲେ । ରାଜନୈତିକ ଫାଇଦା ହାସଲ କରିବାକୁ ଭୂଲି ଯାଇଥିଲେ ସାମାଜିକ ଦୂରତା । ଏହାପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୁଲମଖୁଲା ନିଜ ନେତା ଓ କର୍ମୀଙ୍କୁ ମେଳି କରିଥିଲେ । ନା ପିନ୍ଧିଥିଲେ ମାସ୍କ ନା ପାଳନ କରିଥିଲେ ସାମାଜିକ ଦୂରତା । ତେବେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେବା ପରେ ଅପରାଜିତାଙ୍କ ଜ୍ଞାନ ଉଦୟ ହୋଇଥିଲା । କମିଶନରେଟ ପୋଲିସକୁ ଜରିମାନା ବାବଦକୁ ପଠାଇଥିଲେ ଶହେ ଟଙ୍କା । ତେବେ ସାଧାରଣ ଲୋକ ମାସ୍କ ପିନ୍ଧିନଥିଲେ ୫ଶହ ଟଙ୍କା ଫାଇନ ପାଇଁ ସ୍ଥିର ହୋଇଥିବା ବେଳେ ଅପରାଜିତା ଓ ତାଙ୍କ ସହକର୍ମୀ କେମିତି ଶହେ ଟଙ୍କା ଲେଖାଏଁ ଦେଇ ଚୁପ୍‌ ରହିଗଲେ, ତାକୁ ନେଇ ଏବେବି ଚର୍ଚ୍ଚା ଚାଲିଛି ।

 

ତେବେ ଏଭଳି ସ୍ଥିତିରେ ବୈଜୟନ୍ତଙ୍କ ବିରୋଧରେ କେମିତି ଜିଲ୍ଲା ପ୍ରଶାସନ ଚୁପ ରହିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା । ୨୦୧୯ ନିର୍ବାଚନରେ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ା ବାସୀ ରିଜେକ୍ଟ କରିବା ପରଠାରୁ ସେ କାଁ ଭାଁ ଜିଲ୍ଲା ଗସ୍ତ କରୁଛନ୍ତି । ତେବେ ଅନେକ ଦିନ ପରେ ବାତ୍ୟା ଅମ୍ଫାନ ବୈଜୟନ୍ତଙ୍କ ପାଇଁ ମଉକା ଆଣିଦେଇଥିଲା । ପ୍ରଭାବିତଙ୍କ ପାଖରେ ପହଞ୍ଚିବା ବାହାନାରେ ଏହି ପରାଜିତ ନେତା କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ କରିଥିଲେ ରୋଡ୍‌ ଶୋ । ଅନୁକମ୍ଫା ରାଜନୀତି କରିବାକୁ ଜାଣିଶୁଣି ଭୂଲି ଯାଇଥିଲେ କୋଭିଡ କଟକଣାକୁ । ସାମାଜିକ ଦୂରତାକୁ ଭାଙ୍ଗି ୨ଦିନ ଧରି ମେଳିକରିଥିଲେ ବୈଜୟନ୍ତ । ରାଜନଗର ନିର୍ବାଚନ ମଣ୍ଡଳୀର ଈଶ୍ୱରପୁରରେ ମୋଟର ସାଇକେଲ ରାଲି କରିଥିଲେ । ଲକଡାଉନର ନୀରବତାରେ ସତେ ଯେମିତି ଭୋଟ ଭିକ୍ଷା କରୁଥିଲେ ବୈଜୟନ୍ତ । ପରଦିନ ବାତ୍ୟା ପ୍ରଭାବିତ ବତିଘର ବିଚ୍ଛିନାଞ୍ଚଳ ଗସ୍ତ କରି ଅନୁରୂପ ଭାବେ ଶତାଧିକ କର୍ମୀଙ୍କୁ ନେଇ ବାଇକ ରାଲି କରିଥିଲେ ।

ଏଠି ପ୍ରଶ୍ନ ଉଠୁଛି ଲକଡାଉନ ପାଇଁ ସାରାଦେଶ ଅଟକି ଯାଇଥିବା ବେଳେ ବୈଜୟନ୍ତ ରାଜନୈତିକ ରାଲି କରିବାକୁ କେମିତି ମନ ବଳାଇଲେ । ଦୁର୍ଦ୍ଦିନର ସୁଯୋଗ ନେଇ ଲୋକଙ୍କୁ ରିଲିଫ ବାଣ୍ଟିବାକୁ ଯାଇଥିଲେ ନା ସଂକ୍ରମଣ ବାଣ୍ଟିଥିଲେ ଏହି ସୋସିଆଲ ମିଡିଆ ନେତା । ଆଶ୍ଚର୍ଯ୍ୟର କଥା ହେଲା ବିଜେପି ରାଷ୍ଟ୍ରୀୟ ଉପସଭାପତିଙ୍କ ରାଲିକୁ ଅଟକାଇ ନଥିଲା ପୋଲିସ ପ୍ରଶାସନ । ଅତୀତରେ ଅତିଜରୁରୀ କାମରେ ହାଟକୁ ଆସିଥିବା ଲୋକଙ୍କୁ ବି ହଟହଟା କରିଛି । ଲାଠି ମାରିଛି । ଫାଇନ ଆଦାୟ କରିଛି । ରାସ୍ତା ଉପରେ ଆଣ୍ଠେଇ ବି ଦେଇଛି । ହେଲେ ନେତାଙ୍କ ପାଇଁ କଣ ଭିନ୍ନ ରହିଛି ଲକଡାଉନ ନିୟମ । କାହିଁକି ଜିଲ୍ଲା ପ୍ରଶାସନ ଚୁପ ରହିଛି ବୈଜୟନ୍ତଙ୍କ ରୋଡ ଶୋକୁ ନେଇ । ଲକଡାଉନ ପାଇଁ ଭକ୍ତଙ୍କୁ ବଡଦାଣ୍ଡ ମନା । ହେଲେ ବୈଜୟନ୍ତଙ୍କ ରୋଡ କେମିତି ଚାଲିଲା ।

ନିର୍ବାଚନ ପର ଠାରୁ ରାଜ୍ୟ ବିଜେପି ପାଇଁ ଅଲୋଡ଼ା ହୋଇପଡ଼ିଥିବା ବୈଜୟନ୍ତ କଣ ପରିଚୟ ସଂକଟରେ ପଡ଼ି କୋଭିଡ କଟକଣାକୁ ଭୁଲି ଗଲେ କି । ସାରା ଦେଶ, ସାରା ରାଜ୍ୟ କରୋନା ସଂକଟରେ ପଡ଼ି ଛଟପଟ ହେଉଥିବା ବେଳେ, ଏହି ବରିଷ୍ଠ ନେତା ରାଜନୈତିକ ଫାଇଦା ନେବାକୁ ଛଟପଟ ହେଉଥିବା କଥାକୁ ରାଜ୍ୟବାସୀ ହଜମ କରିପାରୁ ନାହାଁନ୍ତି । ତେବେ ଅପରାଜିତା ନିଜ ଭୁଲ ବୁଝି ହେଉ ବା ବିବାଦରୁ ମୁକ୍ତ ହେବାକୁ ନିଜ ଦୋଷ ସ୍ୱୀକାର କରିବା ସହ ଫାଇନ ଦେଇଥିବାବେଳେ ବୈଜୟନ୍ତ କେମିତି ଚୁପ ରହିଛନ୍ତି । ନା ବିଜେପିର ରାଷ୍ଟ୍ରୀୟ ଉପସଭାପତିଙ୍କ ପାଇଁ ଲକଡାଉନ କଟକଣା ଭିନ୍ନ ଭାବେ ଲେଖାଯାଇଛି । ସବୁଠାରୁ ପରିତାପର କଥା ଏ ନେଇ ଜିଲ୍ଲା ପ୍ରଶାସନ ବୈଜୟନ୍ତଙ୍କୁ କାରଣ ଦର୍ଶାଅ ନୋଟିସଟିଏ ବି ଜାରି କରିନାହିଁ । କି ବୈଜୟନ୍ତ ମଧ୍ୟ ନିଜ ଭୁଲ ସ୍ୱୀକାର କରିନାହାଁନ୍ତି ।

ଲକଡାଉନ ନେଇ ଦେଶର ପ୍ରଧାନମନ୍ତ୍ରୀ ବାରମ୍ବାର ଲୋକଙ୍କୁ ସଚେତନ କରୁଛନ୍ତି । ହେଲେ ନିଜ ଦଳର ରାଷ୍ଟ୍ରୀୟ ନେତା ଏହାକୁ ଭାଙ୍ଗିବା କେତେ ଗ୍ରହଣୀୟ ଏ ସବୁ ପ୍ରଶ୍ନର ଉତ୍ତର ଏବେ ଓଡ଼ିସାବାସୀ ମାଗୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ବୈଜୟନ୍ତଙ୍କୁ ଭୟ କରି ଚୁପ ବସିଛନ୍ତି ନା ସେ ମଧ୍ୟ ଅଜ୍ଞାତ ଓ ଅସଚେତନ । ଅମ୍ଫାନ ବାତ୍ୟାବେଳେ ଜଣେ ବ୍ୟକ୍ତିଙ୍କ ଅନ୍ୟ କାରଣରୁ ମୃତ୍ୟୁକୁ ବୈଜୟନ୍ତ ବାତ୍ୟା ଜନିତ ମୃତ୍ୟୁ ବୋଲି ଦର୍ଶାଇ ଟ୍ୱିଟ କରିଥିଲେ । ବୈଜୟନ୍ତ ଏ କ୍ଷେତ୍ରରେ ଯେ ଡାହା ମିଛ କହିଥିଲେ ତାହା ଜଣାପଡ଼ିବା ପରେ ସେ ନିନ୍ଦିତ ମଧ୍ୟ ହୋଇଥିଲେ ।

ନିଜ ଅହଂକରା ଯୋଗୁଁ ସେ ବାରମ୍ବାର ବାରମ୍ବାର ଆଇନକୁ ଭାଙ୍ଗୁଥିବାର ଲମ୍ବା ତାଲିକା ରହିଛି । ନୋ ଫ୍ଲାଇଙ୍ଗ ଜୋନରେ ହେଲିକପଟର ଉଡ଼ାଇ ଅତୀତରେ ସେ ବହୁବାର ସମାଲୋଚିତ ହୋଇଛନ୍ତି । କିନ୍ତୁ ନିଜ ପ୍ରଭାବର ଦୂରୁପଯୋଗ କରି ପ୍ରତିଥର ଫସିଯାଇଛନ୍ତି । ଏବେ ମଧ୍ୟ ସାମାଜିକ ଦୂରତା ନିୟମ ଭଙ୍ଗ କରି ଖସିଯିବାକୁ ବସିଛନ୍ତି ବୈଜୟନ୍ତ । ଆଉ ବୈଜୟନ୍ତଙ୍କୁ ଘଣ୍ଟ ଘୋଡ଼ାଉଛି ଜିଲ୍ଲା ପ୍ରଶାସନ । ଉପଜିଲ୍ଲାପାଳ ନରହରି ସେଠୀ କହିଛନ୍ତି, ଏ ସଂପର୍କରେ କୈାଣସି ଅଭିଯୋଗ ଆସିନାହିଁ । ଆମର ପ୍ରଶ୍ନ ହେଉଛି, ସାଧାରଣ ଭାବେ ନିୟମ ଉଲ୍ଲଂଘନକାରୀ ଜନତାଙ୍କୁ କଣ ଅଭିଯୋଗ ଆଧାରରେ ଦଣ୍ଡ ଦେଉଛି ? ଯଦି ନୁହେଁ ତେବେ ବୈଜୟନ୍ତଙ୍କ ପାଇଁ ଜିଲ୍ଲା ପ୍ରଶାସନ କେଉଁ ନୀତି ଆପଣାଇଛି ?

Leave a Reply