ରୋଗୀ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ବିଜେପି ନେତା ଗିରଫ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଗୁରୁତର ଅବସ୍ଥାରେ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର କୃଷ୍ଣଚନ୍ଦ୍ର ପାଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ । ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ବିଜେପି ନେତା ଗିରଫ ।

ଗତକାଲି ରାତିରେ ଟିଟିଲାଗଡ଼ ସ୍ବାଧୀନପଡାର ନାରାୟଣ ହୋତା ନାମକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନାରାୟଣଙ୍କ ମୃତ୍ୟୁ ଘଟିଥିଲା । ନାରାୟଣଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କୁ ଦାୟୀ କରିଥିଲେ ପରିବାର ଲୋକେ । ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିବା ସହ ପାଟିତୁଣ୍ଡ କରିଥିଲେ ପରିବାର ଲୋକେ । କାର୍ଯ୍ୟରତ ଡାକ୍ତର କୃଷ୍ଣଚନ୍ଦ୍ର ପାଲ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ତେବେ ପରିବାର ଲୋକେ ତାଙ୍କର କୌଣସି କଥା ନ ବୁଝି ଠେଲାପେଲା କରିଥିଲେ । ଏହି ସମୟରେ ଜଣେ ବିଜେପି ନେତା ମୁରାରି ମିଶ୍ର ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ମେଡିକାଲ କର୍ମଚାରୀ ରୋଗୀ ସେବା ବନ୍ଦ କରି ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଟିଟିଲାଗଡ଼ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି ।

ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିବା ସହ ବିଜେପି ନେତା ମୁରାରିକୁ ଗିରଫ କରିଛି । ବଲାଙ୍ଗୀର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା କୁବେର ଚନ୍ଦ୍ର ମହନ୍ତ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ।