ନବ ଦାସ ହତ୍ୟାକାଣ୍ଡ ନେଇ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣାଉଛି ବିଜେପି: ବିଜେଡି

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ନେଇ ବିଜେପି ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣାଉଛି । ପ୍ରଥମେ ବ୍ୟବସାୟିକ ଶତ୍ରୁତା କହି ଏହା ପଛରେ ଦୁଇ ଜଣ ବିଜେଡି ନେତାଙ୍କ ହାତ ରହିଛି ବୋଲି ଅଭିଯୋଗ କରିଥିଲା । ପ୍ରତିଦିନ ଏମିତି କହି କହି ୭/୮ ଜଣ ନେତାଙ୍କ ନାଁ ନେଇ ସାରିଲାଣି ବିଜେପି । ଏବେ ଜଣେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଏହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ତଦନ୍ତକୁ ବିଜେପିର ଏତେ ଡର କାହିଁକି ବୋଲି ପଚାରିଛି ବିଜେଡି । ପ୍ରଦୀପଙ୍କ ଅରୁଚିକର ଓ ହୀନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମନ୍ତବ୍ୟ ପାଇଁ ପଦମପୁରବାସୀ ତାଙ୍କୁ ଉପନିର୍ବାଚନରେ ଲଜ୍ଜାଜନକ ପରାଜୟ ଭେଟି ଦେଇଥିଲେ ।

ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଏଜେନ୍ସିକୁ ଲଗାଇ ବିଭିନ୍ନ ସ୍ଥାନରେ ଆକ୍ରୋଶମୂଳକ ଭାବେ ଚଢ଼ାଉ କରାଇଥିଲା । କ୍ଷମତାର ଏଭଳି ଅପବ୍ୟବହାର ପାଇଁ ପଦମପୁରବାସୀ ତାଙ୍କ ଦଳକୁ ୪୨ ହଜାର ଭୋଟରେ ହରାଇଥିଲେ। ତେବେ ପ୍ରଦୀପଙ୍କ ପଛରେ ରାଜ୍ୟ ବିଜେପିର ଜଣେ ଶୀର୍ଷ ନେତା ରହି ଅବାନ୍ତର କଥା କୁହାଉଛନ୍ତି । ଏହି ନେତା ଜଣକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି । କିନ୍ତୁ ସେ ୱାର୍ଡମେମ୍ବର ନିର୍ବାଚନଟିଏ ମଧ୍ୟ ଜିତିବାର ସାମର୍ଥ୍ୟ ନାହିଁ ବୋଲି କଟାକ୍ଷ କରିଛି ବିଜେଡି ।