ପ୍ରତିଦିନ ମନଗଢ଼ା କାହାଣୀ କହି ପ୍ରେସମିଟ୍ କରୁଛି ବିଜେପି, ଶ୍ରୀଜଗନ୍ନାଥଙ୍କ ନାଁ ନେଇ କହୁଛନ୍ତି କାହାଣୀ

ଭୁବନେଶ୍ୱର: ବିଜେପି ନେତାଙ୍କର ଘଟିଲାଣି ସ୍ମୃତି ଭ୍ରମ । ଦଳରେ ତୀବ୍ର ହେଲାଣି ଗୋଷ୍ଠୀ କନ୍ଦଳ । ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ମନଗଡ଼ା କାହାଣୀ ଗପିବା ଏହାର ଜ୍ବଳନ୍ତ ଉଦାହରଣ । ପ୍ରେସମିଟରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କୁ ଜବାବ ଦେବା ସହ ବିଜେପିରେ ଚାଲିଥିବା ତୀବ୍ର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେଡି କହିଛି, ଆଜି ନୁହେଁ ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ । ମାତ୍ର ଏ ପ୍ରସଙ୍ଗରେ ମନଗଡ଼ା କାହାଣୀ ଶୁଣାଇଛି ବିଜେପି । ଯାହାକି ବିଜେପିର ଦଳୀୟ କନ୍ଦଳକୁ ପଦାରେ ପକାଇଛି । କାରଣ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ମିଳିତ ସରକାରରେ ଆଇନମନ୍ତ୍ରୀ ଥିଲେ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ । ଏଣୁ ରତ୍ନଭଣ୍ଡାର ଖୋଲା ନ ହେବା ପାଇଁ ବିଜେପି ପରୋକ୍ଷରେ ବିଶ୍ବଭୂଷଣଙ୍କୁ ଦାୟୀ କରିଛି ।

ରାଜନୀତି କରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି । ଓଡ଼ିଶା ସ୍ବାର୍ଥ ସମ୍ବଳିତ ଯେକୌଣସି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରିବେ । ମାତ୍ର ସେପରି ନକରି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରି ଲୋକଙ୍କ ଧର୍ମୀୟ ଭାବନା ସହ ବିଜେପି ଖେଳୁଛି ବୋଲି ବିଜେଡି ଅଭିଯୋଗ କରିଛି । ବିଜେପି ମନେରଖିବା ଉଚିତ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଜଗନ୍ନାଥପ୍ରେମୀ, ଓଡ଼ିଶାବାସୀ କେବେ କ୍ଷମା ଦେବେନି ।