ଆଜି ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ ବିଜେପି ହାଇକମାଣ୍ଡ
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନେଇ ଆଜି ହୋଇପାରେ ନାଁ ଘୋଷଣା । ବିଜେପି ହାଇକମାଣ୍ଡ ନାଁ ଘୋଷଣା କରିପାରନ୍ତି। ଗତକାଲି କିନ୍ତୁ ଶିବସେନା ନେତା ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ବିଜେପିର ଯେ କେହି ବି ମୁଖ୍ୟମନ୍ତ୍ରୀ ହେବେ ତାଙ୍କୁ ସମର୍ଥନ କରିବେ ବୋଲି ସୂଚନା ଦେଇଛନ୍ତି ଏକନାଥ ସିନ୍ଦେ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମହାୟୁତି ମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ସସପେନ୍ସରେ ପଡିଛି ପୂର୍ଣ୍ଣଚ୍ଛେଦ। ନିଜକୁ କେବେବି ମୁଖ୍ୟମନ୍ତ୍ରୀ ଭାବେ ଭାବିନାହିଁ ବୋଲି କହିଥିଲେ ସିନ୍ଦେ। ନିଜକୁ ସବୁବେଳେ ସାଧାରଣ ଜନତା ଭାବେ ପରିଗଣିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଆମ ଦଳ ତରଫରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବାଧା ନଥିବା କହିଥିଲେ ଏକନାଥ ସିନ୍ଦେ ।
ଶିବସେନା ନେତା ଏକନାଥ ସିନ୍ଦେଙ୍କ ଏହି ପ୍ରେସମିଟ୍ ପରେ ବିଜେପିର ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଛି। ଖୁବଶୀଘ୍ର ବିଜେପି ହାଇକମାଣ୍ଡ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସଙ୍କ ନାଁ ଘୋଷଣା କରିପାରେ। ମହାରାଷ୍ଟ୍ର ନିର୍ବାଚନରେ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଚେହେରାକୁ ନେଇ ନିର୍ବାଚନ ଲଢିଥିଲା ମହାୟୁତି ମେଣ୍ଟ। ଭୋଟଗଣତିରେ ବିଜେପିକୁ ସର୍ବାଧିକ ୧୩୨ ଆସନ ମିଳିଛି।
ମହାୟୁତି ମେଣ୍ଟ ୨୩୦ ଆସନ ଜିତିଛି। ସେଥିରେ ଏକନାଥ ସିନ୍ଦେଙ୍କ ଶିବସେନାର ୫୭ ଆସନ ରହିଛି। ଗତ ନିର୍ବାଚନ ତୁଳନାରେ ଏମଭିଏ ୨୫ ଆସନ ହରାଇଛି। ୨୮୮ ଆସନ ଲାଗି ମ୍ଯାଜିକ ନମ୍ବର ହେଉଛି ୧୪୫। ସେପଟେ ମହାୟୁତି ନେତା ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାରଙ୍କୁ ଦିଲ୍ଲୀ ଡକରା ହୋଇଛି। ବିଜେପି ହାଇକମାଣ୍ଡ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ କରିବେ ।