ଫେରାଦ ହେଲା ବିଜେଡି, ହାରିବା ଭୟରେ ବିଜେପି କରୁଛି ଆତଙ୍କରାଜ

1 min read

ଭୁବନେଶ୍ବର: ବିଜେପି ଛତିଶଗଡ଼ରୁ ଗୁଣ୍ଡା ଆଣି ପଦମପୁରରେ ଠୁଳ କରିଛି । ଛତିଶଗଡ଼ରୁ କଣ୍ଟେନରରେ ଟଙ୍କା ସହ ଗୁଣ୍ଡା ଆସୁଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ଉପରେ ନଜର ରଖିବାକୁ ଦାବି କରିଛି ବିଜେଡି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ୧୦ ଜଣିଆ ପ୍ରତିନିଧି ଦଳ। ଛତିଶଗଡ଼ରୁ ଗୁଣ୍ଡା ଆଣି ବିଜେପି ପଦମପୁର ଉପ-ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଠା କରୁଛି। ବିଜେପି ଦଳର ନିଜ ଉପରେ,କର୍ମୀମାନଙ୍କ ଉପରେ କି କେନ୍ଦ୍ରମନ୍ତ୍ରୀ ମାନଙ୍କ ଉପରେ ଆଉ ଭରସା ନାହିଁ। ସେ ଛତିଶଗଡ଼ ଗୁଣ୍ଡାମାନଙ୍କ ଉପରେ ନିର୍ଭର କରୁଛି। ତୁରନ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ବଡ ବଡ କଣ୍ଟେନରରେ ଗୁଣ୍ଡା ଓ ଟଙ୍କା ଛତିଶଗଡ଼ରୁ ଆସୁଛି। ପଦମପୁରରେ ଟଙ୍କା ବାଣ୍ଟିବା ସହ ଗୁଣ୍ଡାଗର୍ଦ୍ଦି କରିବାକୁ ମଧ୍ୟ ପଛାଉ ନାହିଁ ବିଜେପି। ପୂର୍ବରୁ ଚୁନିଲାଲ ସାହୁ ନାମକ ଗୁଣ୍ଡା କାରନାମା କାହାକୁ ଅଛପା ନଥିବା ବେଳେ ବିଜେଡିର କର୍ମୀ ରିଙ୍କୁ ମେହେରଙ୍କୁ ଆକ୍ରମଣ ମଧ୍ୟ କରାଯାଇଛି। ବିଜେପି ଜାଣିସାରିଛି ପଦ୍ମପୁର ଉପନିର୍ବାଚନରେ ତାର ପରାଜୟ ସୁନିଶ୍ଚିତ।

କେନ୍ଦ୍ର ମନ୍ତ୍ରୀ କି କେନ୍ଦ୍ର ସରକାର ଉଭୟଙ୍କୁ ସେଠାରେ ଲୋକମାନେ ପସନ୍ଦ କରନ୍ତି ନାହିଁ। ପରାଜୟ ନିଶ୍ଚିତ ଜାଣି ବିଜେପି ଏବେ ଛତିଶଗଡ଼ ଗୁଣ୍ଡାଙ୍କ ଶରଣ ପଶିଛି । ଲୋକଙ୍କୁ ଧମକଚମକ ଦିଆଯାଉଛି । ତେଣୁ ଛତିଶଗଡ଼ରୁ ଆସୁଥିବା କଣ୍ଟେନର ଏବଂ ଅପରାଧୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବା ପାଇଁ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।